କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ବିବାଦ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି। ଆନ୍ଧ୍ରପ୍ରଦେଶର ଆଗାମୀ ନିର୍ବାଚନ ପ୍ରକ୍ରିୟାରେ କୋଟିଆ ଅଞ୍ଚଳର କିଛି ଗାଁକୁ ସାମିଲ କରାଯିବାକୁ ନେଇ ଓଡ଼ିଶା ପକ୍ଷରୁ ଆପତ୍ତି ଜଣାଯାଇଛି। ଅନ୍ୟପଟେ, ଏହି ପ୍ରସଙ୍ଗକୁ ନେଇ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ତର୍କ ମଧ୍ୟ ତୀବ୍ର ହୋଇଛି।
କୋଟିଆ ପଞ୍ଚାୟତ ଅଧୀନ ମାଡକର ଗାଁରେ ଆନ୍ଧ୍ରପ୍ରଦେଶର ଏକ ସୋଲାର ଗାଡ଼ିକୁ ଓଡ଼ିଶା ପୁଲିସ ଜବତ କରିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିବା ଖବର ମିଳିଛି। ଗାଡ଼ି ଜବତକୁ ନେଇ ଦୁଇ ରାଜ୍ୟର ପୁଲିସ ମଧ୍ୟରେ କଥା କଟାକଟି ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ କୋରାପୁଟ ବିଧାୟକ ରଘୁରାମ ମାଛ ଓ ବିଜେପିର ଏକ ପ୍ରତିନିଧି ଦଳ ପହଞ୍ଚିଥିବା କୁହାଯାଇଛି।
କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ପ୍ରଶାସନିକ ଓ ଭୌଗୋଳିକ ଦାବିକୁ ନେଇ ବିବାଦ ରହିଛି। ଆନ୍ଧ୍ରର ନିର୍ବାଚନ ପ୍ରକ୍ରିୟା ଏହି ପୁରୁଣା ବିବାଦକୁ ପୁଣି ସାମ୍ନାକୁ ଆଣିଛି।
ଏହାରି ମଧ୍ୟରେ ବିଜେଡି ନେତା ପ୍ରଦୀପ ମାଝି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କୋଟିଆରେ ଆନ୍ଧ୍ରର ଅଧିକାରୀଙ୍କ ହସ୍ତକ୍ଷେପକୁ ରୋକିବା ସହ ଓଡ଼ିଶାର ଅଧିକାର ସୁରକ୍ଷିତ ରଖିବା ପାଇଁ ସରକାର ଅଧିକ କଡ଼ା ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। କୋଟିଆର ବିକାଶ ନେଇ ପୂର୍ବ ସରକାର ସମୟରେ ହୋଇଥିବା କାର୍ଯ୍ୟକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
ଅନ୍ୟପଟେ ପ୍ରଦୀପ ମାଝିଙ୍କ ଅଭିଯୋଗର ଜବାବ ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, କୋଟିଆ କୌଣସି ଦଳର ରାଜନୈତିକ ପ୍ରସଙ୍ଗ ନୁହେଁ; ଏହା ଓଡ଼ିଶାର ଅସ୍ମିତା ସହ ଜଡ଼ିତ। କୋଟିଆର ସୁରକ୍ଷା ପାଇଁ ବ୍ଲକ୍ ଓ ଜିଲ୍ଲାସ୍ତରରେ ସର୍ବଦଳୀୟ କମିଟି ଗଠନ କରାଯାଇଥିବା ସେ କହିଛନ୍ତି। କୋରାପୁଟ ଜିଲ୍ଲାର ବିରୋଧୀ ଦଳର ବିଧାୟକମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆର ଫଗୁନାସିନେରୀ, ଗଞ୍ଜେଇପଦର ଓ ଫାଟୁସିନେରୀ ଭଳି ଗାଁକୁ ନିଜ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରାଯାଇଥିବା ଅଭିଯୋଗ ରହିଛି। ଏହାକୁ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ କଣ୍ଟେମ୍ପ୍ଟ ପିଟିସନ୍ ଦାଖଲ କରିଥିବା ଜଣାପଡ଼ିଛି। ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ମାମଲାରେ ୨୦୦୬ରେ ସୁପ୍ରିମକୋର୍ଟ ଯଥାସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିବା ଓଡ଼ିଶା ପକ୍ଷରୁ ଦର୍ଶାଯାଇଛି।
କୋଟିଆ ଗ୍ରାମପଞ୍ଚାୟତ ଅଧୀନରେ ୨୮ଟି ଗାଁ ରହିଥିବା ବେଳେ, ଓଡ଼ିଶା ସମସ୍ତ ୨୮ଟି ଗାଁ ଉପରେ ନିଜର ପ୍ରଶାସନିକ ଅଧିକାର ଦାବି କରୁଛି। ଅନ୍ୟପଟେ ଆନ୍ଧ୍ରପ୍ରଦେଶ ମଧ୍ୟ ଏହି ଅଞ୍ଚଳର କିଛି ଗାଁ ଉପରେ ନିଜର ଦାବି ରଖିଆସିଛି। ଏହି ସୀମା ବିବାଦ ଦୀର୍ଘଦିନ ଧରି ଆଇନଗତ ପ୍ରକ୍ରିୟାରେ ରହିଛି।
ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରସଙ୍ଗ ସାମ୍ନାକୁ ଆସିବା ପରେ କୋଟିଆ ବିବାଦ ପୁଣି ରାଜନୈତିକ ରୂପ ନେଇଛି। ବିଜେଡି ପୂର୍ବ ସରକାରର ପଦକ୍ଷେପକୁ ଉଲ୍ଲେଖ କରି ବର୍ତ୍ତମାନ ସରକାରକୁ ପ୍ରଶ୍ନ କରୁଥିବା ବେଳେ, ବିଜେପି ସରକାର କୋଟିଆ ପ୍ରସଙ୍ଗକୁ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରଖି ଆଇନଗତ ଓ ପ୍ରଶାସନିକ ଭାବେ ଲଢ଼ିବା ଉପରେ ଜୋର ଦେଉଛି।
କୋଟିଆରେ ପୁଲିସ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନିୟୋଜିତ କରି ଆନ୍ଧ୍ରପ୍ରଦେଶର କାର୍ଯ୍ୟକଳାପ ଉପରେ ନଜର ରଖିବା ନେଇ ମଧ୍ୟ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଫଳରେ ଆନ୍ଧ୍ରର ନିର୍ବାଚନ ଯେତିକି ନିକଟତର ହେଉଛି, କୋଟିଆକୁ ନେଇ ଓଡ଼ିଶାରେ ରାଜନୈତିକ ତାପମାତ୍ରା ମଧ୍ୟ ସେତିକି ବଢ଼ୁଛି।
‘India’s biggest rebel soldier’...
‘Scout ଆପଣଙ୍କ ପାଇଁ କିଏ?’ ପ୍ରୋମୋରେ ର...
ଫ୍ୟାନ୍ସଙ୍କ ମଝିରେ ବସି ଦେଖିଲେ ଫିଲ୍ମ ରଜନୀକାନ୍ତଙ୍କ...
ନଭେମ୍ବର ୧ରେ ଦିଲ୍ଲୀର ରାମଲୀଳା ମୈଦାନରେ ପ୍ରସ୍ତାବିତ କଂଗ...
Mumbai Indiansର ନୂଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପ...
Red Roomରୁ ଆରମ୍ଭ ହୋଇଥିଲା କ୍ଷମତାର ଲଢ଼େଇ Ultimate...
ଭାଇରାଲ ଅଡିଓରେ କ’ଣ ଦାବି? ମନୋଜ ଜରାଙ୍ଗେ ପାଟି...
Tata Sonsକୁ ନେଇ କାହିଁକି ଚର୍ଚ୍ଚା? Tata Sons ହେଉଛ...