କନ୍ଧମାଳ ଜିଲ୍ଲାରେ ଗ୍ରାମୀଣ ଯାତାୟାତର ଏକ ଗମ୍ଭୀର ଚିତ୍ର ସାମ୍ନାକୁ ଆସିଛି। ସ୍ଥାୟୀ ପୋଲ ନଥିବାରୁ ଡୁଡୁକି ଗ୍ରାମ ପଞ୍ଚାୟତ ଅଧୀନ ୪ଟି ଗାଁର ଲୋକେ ପ୍ରାୟ ୧୦ ବର୍ଷ ଧରି ନିଜେ ତିଆରି କରିଥିବା ଏକ ଅସ୍ଥାୟୀ କାଠ ପୋଲ ଉପରେ ଯାତାୟାତ କରୁଛନ୍ତି।
ଏହି ଗାଁଗୁଡ଼ିକ କନ୍ଧମାଳ ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ। ଡୁଡୁକି ପଞ୍ଚାୟତକୁ କୁସୁମବାଟା, ସାଲାଗୁଡ଼ା, ପାଜିଗୁଡ଼ା ଓ ମୁଣ୍ଡୁରୁମାସ୍କା ଗାଁ ସହ ଯୋଡ଼ୁଥିବା ରାସ୍ତାରେ ଗଟାବାଲି ନଦୀ ପଡ଼ୁଛି।
ପ୍ରାୟ ୨୭ ବର୍ଷ ପୂର୍ବେ ଗଟାବାଲି ନଦୀ ଉପରେ ହ୍ୟୁମ୍ ପାଇପ୍ରେ ଏକ କଲଭର୍ଟ ପୋଲ ନିର୍ମାଣ ହୋଇଥିଲା। ତେବେ ୨୦୧୬ରେ ନଦୀର ଜଳସ୍ତର ବଢ଼ିବା ପରେ ଏହି ପୋଲଟି ଧୋଇଯାଇଥିଲା।
ପୋଲ ଭାସିଯିବା ପରଠାରୁ ୪ଟି ଗାଁର ଲୋକଙ୍କ ଯାତାୟାତ ସମସ୍ୟା ଜଟିଳ ହୋଇଛି। ବିଶେଷକରି ବର୍ଷା ଦିନେ ନଦୀରେ ପାଣି ବଢ଼ିଲେ ଗାଁଗୁଡ଼ିକ ବାହାର ଅଞ୍ଚଳଠାରୁ ବିଚ୍ଛିନ୍ନ ହୋଇପଡ଼ୁଥିବା ଅଭିଯୋଗ ରହିଛି।
ସ୍ଥାୟୀ ପୋଲ ନିର୍ମାଣ ନହେବାରୁ ଗ୍ରାମବାସୀ ନିଜେ ଏକ ଅସ୍ଥାୟୀ କାଠ ପୋଲ ତିଆରି କରିଛନ୍ତି। ପ୍ରାୟ ୩୦୦ ଲୋକ, ଯେଉଁଥିରେ ସ୍କୁଲ୍ ପିଲାମାନେ ମଧ୍ୟ ସାମିଲ, ଏହି ବିପଦପୂର୍ଣ୍ଣ ପୋଲ ଦେଇ ଯାତାୟାତ କରୁଥିବା କୁହାଯାଇଛି।
ଗ୍ରାମବାସୀମାନେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ବିଡିଓ, ଜିଲ୍ଲା ପ୍ରଶାସନ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକାଧିକ ଥର ଦାବି ଜଣାଇଥିବା କହିଛନ୍ତି। ତେବେ ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏଯାଏଁ ଆଶାନୁରୂପ ପଦକ୍ଷେପ ନିଆଯାଇନାହିଁ।
ଏନେଇ ଫୁଲବାଣୀ ବିଡିଓ ସୌମ୍ୟରଞ୍ଜନ ପାତ୍ର କହିଛନ୍ତି ଯେ, ପୋଲ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କାରୁ ଅଧିକ ଆବଶ୍ୟକ ହେବ। ପୋଲ ନିର୍ମାଣ ପାଇଁ ୨୦୨୫ରେ ଗ୍ରାମୀଣ ଉନ୍ନୟନ ବିଭାଗ (RD) ନିକଟକୁ ପ୍ରସ୍ତାବ ପଠାଯାଇଥିଲା। ହେଲେ ଏଯାଏଁ ପୋଲ ନିର୍ମାଣ ହୋଇପାରିନାହିଁ।
ବର୍ତ୍ତମାନ ମିଶନ ଶକ୍ତି ଯୋଜନା ଅଧୀନରେ ପୋଲ ନିର୍ମାଣ ପାଇଁ ସରକାରଙ୍କ ନିକଟକୁ ନୂଆ ପ୍ରସ୍ତାବ ଦିଆଯାଇଥିବା ବିଡିଓ କହିଛନ୍ତି। ପ୍ରସ୍ତାବ ଅନୁମୋଦନ ହେଲେ ଶୀଘ୍ର ସ୍ଥାୟୀ ପୋଲ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।
ଏବେ ଦୀର୍ଘ ଦଶନ୍ଧିର ଏହି ସମସ୍ୟାର ଶେଷ ହେବ ଏବଂ ଗଟାବାଲି ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ ହେବ ବୋଲି ଆଶା ରଖିଛନ୍ତି ୪ଟି ଗାଁର ଲୋକେ।
ଭାରତ ନିଜରସେଣ୍ଟ୍ରାଲ୍ ବ୍ୟାଙ୍କ ଡିଜିଟାଲ୍ କରେନ୍ସି (CBDC...
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ଏହାର ସ...
ଭୁବନେଶ୍ୱର: ଡାଇବେଟିସ୍‌ ରୋଗୀଙ୍କ ଚିକିତ୍ସାରେ Metf...
ଭୁବନେଶ୍ୱର: ଆଜି ସେପ୍ଟେମ୍ବର ୧୪, ୨୦୨୬, ସୋମବାର। ଗଣେଶ ଚ...
ପୃଥିବୀର ବଢ଼ୁଥିବା ତାପମାତ୍ରା ପୁଣିଥରେ ବୈଶ୍ୱିକ ଜଳବାୟୁ...
ନୂଆଦିଲ୍ଲୀ:BRICS ଗୋଷ୍ଠୀର ଆର୍ଥିକ ଶକ୍ତିକୁ ନେଇ ଅର୍ଥନୀତ...