ଓଡ଼ିଶାର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ର ସିକବାଡ଼ି ଗାଁର ଏକ ପରିବାର ଏବେ ନିଜ ସଂଘର୍ଷ ଓ ସନ୍ତାନଙ୍କ ସଫଳତା ପାଇଁ ଚର୍ଚ୍ଚାରେ। ଅତ୍ୟନ୍ତ ଆର୍ଥିକ ଅଭାବ ମଧ୍ୟରେ ଏହି ପରିବାରର ୭ ଜଣ ସନ୍ତାନଙ୍କ ମଧ୍ୟରୁ ୫ ଜଣ ମେଡିକାଲ୍ ଶିକ୍ଷା ହାସଲ କରୁଛନ୍ତି।
ବୁର୍ସି ପ୍ରଧାନ ଓ ଅନୁସୂୟାଙ୍କ ପରିବାର ଏକ କଚ୍ଚା ଘରେ ରହୁଛନ୍ତି। ଘର ଉପରେ ରହିଛି ଆଜବେଷ୍ଟସ୍ ଛାତ। ମୌଳିକ ଆବଶ୍ୟକତା ପୂରଣ କରିବା ମଧ୍ୟ ଯେଉଁ ପରିବାର ପାଇଁ କଷ୍ଟକର, ସେହି ପରିବାର ନିଜ ସନ୍ତାନଙ୍କ ପାଠପଢ଼ା ପାଇଁ ବର୍ଷ ବର୍ଷ ଧରି ଚାଷ ଓ ଦିନମଜୁରି କରିଛନ୍ତି।
ପରିବାରର ବଡ଼ ପୁଅ ବିଭୀଷଣ ପ୍ରଧାନ ପ୍ରଥମେ ଡାକ୍ତର ହେବାର ସ୍ୱପ୍ନ ନେଇ ଆଗକୁ ବଢ଼ିଥିଲେ। ସେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜରେ ମେଡିକାଲ୍ ଶିକ୍ଷା ହାସଲ କରିବା ପରେ ବର୍ତ୍ତମାନ ଇଣ୍ଟର୍ନସିପ୍ କରୁଛନ୍ତି।
ତାଙ୍କ ଭଉଣୀ ମୋନାଲିସା ପ୍ରଧାନ ମଧ୍ୟ ସେହି ମେଡିକାଲ୍ କଲେଜରେ ଦ୍ୱିତୀୟ ବର୍ଷରେ ପଢ଼ୁଛନ୍ତି।
ଏହାପରେ ସୁନେମି, ଏଶ୍ରିୟା ଓ ମୀନାକ୍ଷୀ ମଧ୍ୟ NEET ପରୀକ୍ଷାରେ ସଫଳ ହୋଇ ମେଡିକାଲ୍ କଲେଜରେ ନାମ ଲେଖାଇଛନ୍ତି। ସେମାନଙ୍କୁ ପୁରୀ, ବଲାଙ୍ଗିର ଓ ଭବାନୀପାଟଣାର ମେଡିକାଲ୍ କଲେଜରେ ଭର୍ତ୍ତି ମିଳିଛି।
ମେଡିକାଲ୍ ଶିକ୍ଷା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଏହି ଭାଇଭଉଣୀଙ୍କୁ ଅନେକ କଷ୍ଟ ଦେଇ ଗତି କରିବାକୁ ପଡ଼ିଛି। ମୀନାକ୍ଷୀ ପ୍ରଧାନ କହିଛନ୍ତି ଯେ, ବାପା-ମାଆଙ୍କ ସଂଘର୍ଷ ହିଁ ସେମାନଙ୍କୁ ଅଧିକ ପରିଶ୍ରମ କରିବାର ପ୍ରେରଣା ଦେଇଛି। ଅନେକ ସମୟରେ ଘରେ ଗ୍ୟାସ୍ ସରିଯିବାରୁ ଖାଇବାକୁ ନପାଇ ରହିବାକୁ ମଧ୍ୟ ପଡ଼ିଥିବା ସେ କହିଛନ୍ତି।
ସୁନେମି ପ୍ରଧାନଙ୍କ କହିବା ଅନୁସାରେ, ପରିବାରର ଆର୍ଥିକ ସ୍ଥିତି ଦେଖି ସେମାନେ ବାପା-ମାଆଙ୍କୁ ଟଙ୍କା ମାଗିବାକୁ ମଧ୍ୟ ସଙ୍କୋଚ କରୁଥିଲେ। ତଥାପି ପିଲାମାନଙ୍କ ଆବଶ୍ୟକତା ପୂରଣ ପାଇଁ ବାପା-ମାଆ ଦିନମଜୁରି କରିବା ସହ ନିଜ ସାମର୍ଥ୍ୟଠାରୁ ଅଧିକ ପରିଶ୍ରମ କରିଥିଲେ।
ଏଶ୍ରିୟା ପ୍ରଧାନ କହିଛନ୍ତି, ଗୋଟିଏ ପରିବାରରୁ ୫ ଜଣ ଡାକ୍ତର ହେବାକୁ ଯାଉଥିଲେ ମଧ୍ୟ ବାପା-ମାଆ ଖୁସି ସହ ଚିନ୍ତିତ ଅଛନ୍ତି। କାରଣ ଆଗକୁ ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ ଖର୍ଚ୍ଚ କିପରି ଯୋଗାଡ଼ ହେବ, ସେନେଇ ପରିବାରର ଚିନ୍ତା ରହିଛି।
ପିଲାମାନେ ମେଡିକାଲ୍ରେ ପଢ଼ୁଥିଲେ ମଧ୍ୟ ଘରକୁ ଆସିଲେ ବାପା-ମାଆଙ୍କୁ କାମରେ ସହଯୋଗ କରନ୍ତି। ସେମାନେ ଚାଷଜମିରେ କାମ କରିବା, ଗୋରୁଗାଈଙ୍କ ଯତ୍ନ ନେବା ସହ ମକା ଓ ହଳଦୀ ଚାଷରେ ସହଯୋଗ କରନ୍ତି।
ବୁର୍ସି ପ୍ରଧାନ ଓ ଅନୁସୂୟା ନିଜେ କେବେ ସ୍କୁଲ୍ ଯାଇନାହାନ୍ତି। କିନ୍ତୁ ସନ୍ତାନମାନଙ୍କୁ ଶିକ୍ଷିତ କରିବାର ସ୍ୱପ୍ନ ଛାଡ଼ିନଥିଲେ। ପିଲାମାନଙ୍କ ପାଠପଢ଼ା ଓ ମେଡିକାଲ୍ ଆଡମିଶନ୍ ପାଇଁ ଅନେକ ସମୟରେ ପରିବାରର ଗୋରୁ ଓ ଛେଳି ବିକ୍ରି କରିଥିବା ସେମାନେ କହିଛନ୍ତି।
ଚାଷୀ, ଦିନମଜୁର ଓ କୁଲି ଭାବେ କାମ କରି ପରିବାର ଚଳାଇବା ସହ ପିଲାମାନଙ୍କ ଶିକ୍ଷାର ଖର୍ଚ୍ଚ ବହନ କରିଛନ୍ତି ବୁର୍ସି ଓ ଅନୁସୂୟା।
ଅଭାବ ଓ ସଂଘର୍ଷ ମଧ୍ୟରେ ଏହି ପରିବାରର ୫ ସନ୍ତାନଙ୍କ ଡାକ୍ତର ହେବାର ସ୍ୱପ୍ନ ଏବେ ନୂଆ ଆଶା ସୃଷ୍ଟି କରିଛି। ତେବେ ଆଗାମୀ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା କିପରି ମିଳିବ, ତାହା ଏବେ ଏହି ପରିବାର ସମ୍ମୁଖରେ ବଡ଼ ପ୍ରଶ୍ନ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆୟର୍ଲାଣ୍ଡ ଗସ...
ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଛାତିଥରା ହତ୍ୟାକାଣ୍ଡ ସା...
ମୁମ୍ବାଇର ଜିଓ ୱାର୍ଲ୍ଡ ପ୍ଲାଜାରେ ନକଲି ପ୍ରଧାନମନ୍ତ୍ରୀ କ...
ନୂଆଦିଲ୍ଲୀ:ଦୀର୍ଘ ୧୧ ବର୍ଷ ପରେ ଭାରତକୁ ଫେରାଇ ଅଣାଯାଇଛି...
୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାର ଦୋଷୀ ତଥା ଗ୍ୟାଙ...
ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଚାଲିଥିବା BRICS ସମ୍ମି...
ନୂଆଦିଲ୍ଲୀରେ ଚାଲିଥିବା BRICS ସମ୍ମିଳନୀର ପ୍ରଥମ ଦିନ ଅନ୍...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ନେଇ ଆଶା ସ...