ବ୍ରହ୍ମପୁର: ଦୀର୍ଘ ୨୩ ଦିନର ଅପେକ୍ଷା ପରେ ଗଞ୍ଜାମ ଜିଲ୍ଲାରେ ପୁଣି ଶୁଭିଛି ସ୍କୁଲ ଘଣ୍ଟି। ଦଶହରା ଛୁଟି ପରେ ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ବନ୍ଦ ରହିଥିବା ଅଧିକାଂଶ ବିଦ୍ୟାଳୟ ନଭେମ୍ବର ୯ ତାରିଖ ସୋମବାରଠାରୁ ଖୋଲିଛି। ଛାତ୍ରଛାତ୍ରୀ ପୁଣି ଶ୍ରେଣୀଗୃହକୁ ଫେରିଥିବା ବେଳେ ଅନେକ ସ୍କୁଲରେ ବନ୍ୟାର କ୍ଷୟକ୍ଷତି ଏବେ ବି ସ୍ପଷ୍ଟ ଦେଖିବାକୁ ମିଳୁଛି।
ଜିଲ୍ଲା ପ୍ରଶାସନର ତଥ୍ୟ ଅନୁସାରେ, ଗଞ୍ଜାମର ମୋଟ ୩,୮୯୦ଟି ସରକାରୀ ବିଦ୍ୟାଳୟ ମଧ୍ୟରୁ ୪୯୮ଟି ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ୧,୦୩୯ଟି ଶ୍ରେଣୀଗୃହ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୨୧୫ଟି ବିଦ୍ୟାଳୟର ପାଚେରି ଭାଙ୍ଗିଯାଇଛି।
ବନ୍ୟାଜଳ ଅନେକ ସ୍କୁଲରେ ପଶି ଡେସ୍କ, ବେଞ୍ଚ, ଚେୟାର, ପାଠ୍ୟପୁସ୍ତକ, ଲାଇବ୍ରେରୀ ବହି, କମ୍ପ୍ୟୁଟର, ବିଜ୍ଞାନ ଉପକରଣ ଓ ଖେଳ ସାମଗ୍ରୀ ନଷ୍ଟ କରିଛି। ମଧ୍ୟାହ୍ନ ଭୋଜନ ପାଇଁ ରଖାଯାଇଥିବା ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ କେତେକ ସ୍ଥାନରେ କ୍ଷତିଗ୍ରସ୍ତ ହୋଇଛି।
ଜିଲ୍ଲାର ଅଧିକାଂଶ ସ୍କୁଲ ଖୋଲିଥିଲେ ମଧ୍ୟ ଆସିକା ବ୍ଲକ୍ର ୫ଟି ଓ ସୋରଡ଼ା ବ୍ଲକ୍ର ଗୋଟିଏ ସରକାରୀ ସ୍କୁଲରେ ମରାମତି ଓ ପୁନରୁଦ୍ଧାର କାମ ଜାରି ରହିଥିବାରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଛୁଟି ବଢ଼ାଯାଇଛି।
ଏହାସହ ବନ୍ୟାରେ ପ୍ରଭାବିତ ୯ଟି ସ୍କୁଲର ପାଠପଢ଼ା ସାମୟିକ ଭାବେ ନିକଟସ୍ଥ ଅନ୍ୟ ବିଦ୍ୟାଳୟରେ କରାଯାଉଛି। ନିଜ ସ୍କୁଲର ମରାମତି କାମ ଶେଷ ହେବା ପରେ ପୂର୍ବପରି ପାଠପଢ଼ା ଆରମ୍ଭ ହେବ ବୋଲି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର ସୂଚନା ଦେଇଛନ୍ତି।
ଗଞ୍ଜାମ ବ୍ଲକ୍ର ବରପଲ୍ଲୀ ଗାଁସ୍ଥିତ ରୁଷିକୁଲ୍ୟା ହାଇସ୍କୁଲରେ ବନ୍ୟାର ପ୍ରଭାବ ଅତ୍ୟନ୍ତ ଗମ୍ଭୀର ରହିଛି। ରୁଷିକୁଲ୍ୟା ନଦୀର ବନ୍ୟାଜଳ ଦୀର୍ଘ ସମୟ ଧରି ସ୍କୁଲ ପରିସରରେ ଜମି ରହିବାରୁ ଶ୍ରେଣୀଗୃହ, ଖେଳପଡ଼ିଆ ଓ ଅନ୍ୟାନ୍ୟ ସାମଗ୍ରୀ କାଦୁଅରେ ପୋତି ହୋଇଯାଇଛି।
ବେଞ୍ଚ, ଚେୟାର ଓ ପାଠ୍ୟପୁସ୍ତକ ନଷ୍ଟ ହୋଇଥିବା ବେଳେ ଖେଳପଡ଼ିଆରେ ମାଟି ଓ କାଦୁଅ ଜମି ରହିଛି। ସ୍କୁଲର ପ୍ରଧାନଶିକ୍ଷକଙ୍କ କହିବା ଅନୁସାରେ, ପ୍ରାୟ ୧୦ ଜଣ ଶ୍ରମିକ ଓ ମୋଟର ସହାୟତାରେ ପାଣି ଓ କାଦୁଅ ସଫା କରାଯାଇଛି। ଏହା ସତ୍ତ୍ୱେ ସ୍ମାର୍ଟ କ୍ଲାସ୍ରୁମ୍, ବିଜ୍ଞାନ ଉପକରଣ ଓ ଅନ୍ୟାନ୍ୟ ଶିକ୍ଷା ସାମଗ୍ରୀର କ୍ଷତି ହୋଇଛି।
ବନ୍ୟାରେ ପାଠ୍ୟପୁସ୍ତକ ଓ ଶିକ୍ଷା ସାମଗ୍ରୀ ନଷ୍ଟ ହୋଇଥିବାରୁ ପ୍ରଭାବିତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସ୍ୱାଭାବିକ କରିବା ଏବେ ପ୍ରଶାସନ ପାଇଁ ବଡ଼ ଆହ୍ୱାନ। ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୫୬ ହଜାର ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିବା ଏବଂ ପ୍ରଥମେ ବନ୍ୟାରେ ଅଧିକ ପ୍ରଭାବିତ ସ୍କୁଲଗୁଡ଼ିକୁ ଏହା ବଣ୍ଟନ କରାଯିବାର ଯୋଜନା ରହିଛି।
ସ୍କୁଲ ଖୋଲିଥିଲେ ମଧ୍ୟ ଭଙ୍ଗା ପାଚେରି, ନଷ୍ଟ ହୋଇଥିବା ଶ୍ରେଣୀଗୃହ ଓ ଶିକ୍ଷା ସାମଗ୍ରୀର ମରାମତି ଶେଷ ହେବା ପର୍ଯ୍ୟନ୍ତ ଗଞ୍ଜାମର ଅନେକ ଅଞ୍ଚଳରେ ପାଠପଢ଼ା ପୂର୍ଣ୍ଣ ସ୍ୱାଭାବିକ ହେବାକୁ ସମୟ ଲାଗିପାରେ।
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ପୂର୍ବ...
ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୭ ପୂର୍ବରୁ କ୍ରିକେଟ୍&zwn...
ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ରଣବୀର କପୁରଙ୍କ ଅଭିନ...
ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତରେ ଏବେ ‘ରାମାୟଣ&r...
ମୁମ୍ବାଇ:ତାମିଲ ସିନେମାରେ ଅନେକ ସୁପରଷ୍ଟାର ଆସିଛନ୍ତି, କି...
ସିଡନୀ: ଅଷ୍ଟ୍ରେଲିଆ କ୍ରିକେଟ୍‌ର ସବୁଠାରୁ ବିବାଦୀୟ...
ମୁମ୍ବାଇ:ଫିଲ୍ମ 'ରାମାୟଣ'ରେ ରାବଣ ଚରିତ୍ରରେ ନଜର...
ଲିଙ୍କନ୍‌: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରି...