ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଥିବା ଏକ ସଡ଼କ ଦୁର୍ଘଟଣା ମାମଲା ଏବେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ପରିଣତ ହୋଇଛି। ପ୍ରଥମେ ଏହାକୁ ସାଧାରଣ ଦୁର୍ଘଟଣା ବୋଲି ଧରାଯାଉଥିବା ବେଳେ କମିଶନରେଟ ପୋଲିସର ତଦନ୍ତରେ ଜଣାପଡ଼ିଛି ଯେ ଇଞ୍ଜିନିୟରିଂ ଛାତ୍ର ବରେଣ ରାଉତରାୟଙ୍କୁ ପୂର୍ବ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା।
ଗତ ଶୁକ୍ରବାର ରାତିରେ ଆଚାର୍ଯ୍ୟ ହରିହର କଲେଜ ଛକ ନିକଟରେ ବରେଣଙ୍କୁ ଏକ ଥାର ଗାଡ଼ି ଚାପି ଦେଇଥିଲା। ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପୋଲିସ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି ଯେ ଏହା ଦୁର୍ଘଟଣା ନୁହେଁ, ବରଂ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ।
ପୋଲିସ ସୂଚନା ଅନୁଯାୟୀ, ମୃତ ବରେଣ ଓ ଅଭିଯୁକ୍ତମାନଙ୍କ ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା। ଏହି ବିବାଦର ମୂଳ କାରଣ ଥିଲା ଏକ ପ୍ରେମ ତ୍ରିକୋଣ। ଘଟଣା ଦିନ ସକାଳେ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିବା ବେଳେ ପରେ ଅଭିଯୁକ୍ତମାନେ ବରେଣଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।
ରାତିରେ ବରେଣ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ପିଛା କରିଥିଲେ। ପ୍ରଥମେ ସେମାନେ କ୍ରିକେଟ ଷ୍ଟମ୍ପରେ ଆକ୍ରମଣ କରି ମାଡ଼ ମାରିଥିଲେ। ପରେ ଥାର ଗାଡ଼ି ଚଳାଇ ତାଙ୍କୁ ଚାପି ଦେଇଥିଲେ। ତଦନ୍ତକାରୀ ଅଧିକାରୀମାନେ ଏହାକୁ ପୂର୍ବ ଯୋଜନାବଦ୍ଧ ଏବଂ ସଂଗଠିତ ଆକ୍ରମଣ ବୋଲି ମନେ କରୁଛନ୍ତି।
ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି ଯେ ପ୍ରେମ ତ୍ରିକୋଣକୁ ନେଇ ଶତ୍ରୁତା ଥିଲା। ଘଟଣା ପରେ ତୁରନ୍ତ ପଦକ୍ଷେପ ନେଇ ପୋଲିସ ୨ରୁ ୩ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଅଟକ ରଖିଥିଲା। ଏପର୍ଯ୍ୟନ୍ତ ୫ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଘଟଣାରେ ବ୍ୟବହୃତ ଥାର ଏବଂ ଏକ ସ୍କୁଟରକୁ ଜବତ କରାଯାଇଛି।
ମୃତକଙ୍କ ଭଉଣୀ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତମାନେ ତାଙ୍କ ଭାଇଙ୍କୁ ପିଛା କରି ମାଡ଼ ମାରିଥିଲେ ଏବଂ ପରେ ଜାଣିଶୁଣି ଗାଡ଼ି ଚଢ଼ାଇ ହତ୍ୟା କରିଥିଲେ। ସେ ଏହାକୁ ସମ୍ପୂର୍ଣ୍ଣ ପୂର୍ବ ଯୋଜନାବଦ୍ଧ ହତ୍ୟା ବୋଲି କହିଛନ୍ତି।
ପୋଲିସ ଏବେ ଏହି ଷଡ଼ଯନ୍ତ୍ରରେ ଆଉ କେହି ସାମିଲ ଅଛନ୍ତି କି ନାହିଁ ତାହାର ତଦନ୍ତ କରୁଛି। ଏହି ଘଟଣା ଭୁବନେଶ୍ୱର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଥିବା ହିଂସାତ୍ମକ ପ୍ରବୃତ୍ତିକୁ ନେଇ ଚିନ୍ତା ବଢ଼ାଇଛି।
ହର୍ମୁଜ୍ ପ୍ରଣାଳୀରେ ନୌଚଳାଚଳର ସ୍ୱାଧୀନତାକୁ ସମର୍ଥନ କରିବ...
ରୁଷିଆର ସାରାତୋଭ ଅଞ୍ଚଳର ଏଙ୍ଗେଲ୍ସ ସହରରେ ଜଣେ ସେନା ଅଧିକ...
ୟୁକ୍ରେନକୁ ସାମରିକ ସହାୟତା ଦେବା ପାଇଁ ଗୋଳାବାରୁଦ କିଣିବା...
ଇରାନର ଦକ୍ଷିଣ ଅଞ୍ଚଳର କୁହେସ୍ତାକ ସହରରେ ମଙ୍ଗଳବାର ଏକ ବି...