ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରୁ ଉଦ୍ଧାର ହୋଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହୁଥିବା ୫ଟି ଶିଶୁ ଓରାଙ୍ଗୁଟାନଙ୍କୁ ନେଇ ଚାଲିଥିବା ବିଭିନ୍ନ ଚର୍ଚ୍ଚା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ପଷ୍ଟ ପ୍ରତିକ୍ରିୟା ଦେଇଛନ୍ତି। ଗୁରୁବାର ନନ୍ଦନକାନନ ଗସ୍ତ କରି ସେ ଓରାଙ୍ଗୁଟାନଙ୍କ ସ୍ୱାସ୍ଥ୍ୟ ଓ ଯତ୍ନ ବ୍ୟବସ୍ଥା ସମୀକ୍ଷା କରିଥିଲେ। ତାଙ୍କ ସହ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ମଧ୍ୟ ଉପସ୍ଥିତ ଥିଲେ।
ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ନନ୍ଦନକାନନରେ ଥିବା ଓରାଙ୍ଗୁଟାନମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଛି। ସେମାନଙ୍କ ଓଜନ ବଢ଼ୁଥିବା ବେଳେ ପୂର୍ବରୁ ଦେଖାଦେଇଥିବା ରକ୍ତହୀନତା ସମସ୍ୟାରେ ମଧ୍ୟ ସୁଧାର ଆସିଛି। ସେମାନଙ୍କ ଖାଦ୍ୟ, ସ୍ୱାସ୍ଥ୍ୟ ଓ ବ୍ୟବହାର ଉପରେ ନିୟମିତ ନଜର ରଖାଯାଉଛି।
ଓରାଙ୍ଗୁଟାନମାନଙ୍କୁ ଓଡ଼ିଶାରୁ ଫେରାଇ ଦିଆଯିବ ବୋଲି ଚାଲିଥିବା ଚର୍ଚ୍ଚାକୁ ନେଇ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଏପର୍ଯ୍ୟନ୍ତ ସେମାନଙ୍କୁ ଓଡ଼ିଶାରୁ ପଠାଇ ଦେବା ନେଇ କୌଣସି ସତ୍ୟତା ନାହିଁ। ନନ୍ଦନକାନନରେ ସେମାନଙ୍କ ଯତ୍ନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।
ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ କହିଛନ୍ତି ଯେ, ନନ୍ଦନକାନନରେ ଓରାଙ୍ଗୁଟାନମାନଙ୍କୁ ଦ୍ୱିତୀୟ ମା' ଭଳି ଯତ୍ନ ନିଆଯାଉଛି। ସେମାନଙ୍କ ସ୍ୱାସ୍ଥ୍ୟ ଓ ବ୍ୟବହାର ଉପରେ ୫ ଜଣିଆ ବୈଷୟିକ ଟିମ୍ ନିୟମିତ ଭାବେ ନଜର ରଖିଛି। ଭବିଷ୍ୟତରେ ସେମାନଙ୍କୁ ପର୍ଯ୍ୟଟକମାନେ ନନ୍ଦନକାନନରେ ଦେଖିବାର ସୁଯୋଗ ପାଇପାରନ୍ତି ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।
ଏହି ୫ଟି ଓରାଙ୍ଗୁଟାନ ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳର ଏକ ଜଙ୍ଗଲ ନିକଟରୁ ଉଦ୍ଧାର ହୋଇଥିଲେ। ସେମାନଙ୍କୁ ପରେ ନନ୍ଦନକାନନର ତାପମାତ୍ରା ନିୟନ୍ତ୍ରିତ କ୍ୱାରେଣ୍ଟାଇନ୍ ବ୍ୟବସ୍ଥାରେ ରଖାଯାଇଥିଲା। ଏହି ଘଟଣା ପରେ ସେମାନେ କିପରି ଓଡ଼ିଶାକୁ ଆସିଲେ, ତାହାର ତଦନ୍ତ ଚାଲିଛି।
ଓରାଙ୍ଗୁଟାନମାନଙ୍କ ଉତ୍ପତ୍ତି ଓ ପ୍ରଜାତି ସମ୍ପର୍କରେ ଜାଣିବା ପାଇଁ ଡିଏନ୍ଏ ପରୀକ୍ଷା କରାଯିବ। ନନ୍ଦନକାନନର ଉପନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, କମିଟିର ଅନୁମୋଦନ ପରେ ଆସନ୍ତା ସପ୍ତାହରୁ ଡିଏନ୍ଏ ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହେବ। ନମୁନା କେଉଁ ସଂସ୍ଥା ଦ୍ୱାରା ପରୀକ୍ଷା କରାଯିବ, ସେନେଇ କମିଟି ନିଷ୍ପତ୍ତି ନେବ।
ଏହି ମାମଲାରେ ଓଡ଼ିଶା ପୋଲିସର STF ଏବଂ Wildlife Crime Control Bureau ପକ୍ଷରୁ ମଧ୍ୟ ତଦନ୍ତ ଚାଲିଛି। ତଦନ୍ତରେ ଏହି ବିରଳ ପ୍ରାଣୀମାନେ କେଉଁଠାରୁ ଆସିଲେ ଏବଂ କିପରି ବାଲେଶ୍ୱରରେ ପହଞ୍ଚିଲେ, ତାହା ଜାଣିବାକୁ ଚେଷ୍ଟା କରାଯାଉଛି।
ବର୍ତ୍ତମାନ ପାଇଁ ଓରାଙ୍ଗୁଟାନମାନଙ୍କୁ ନନ୍ଦନକାନନରେ ରଖି ସେମାନଙ୍କ ସ୍ୱାସ୍ଥ୍ୟ ଓ ତଦନ୍ତ ପ୍ରକ୍ରିୟା ଉପରେ ନଜର ରଖାଯାଉଛି। ଡିଏନ୍ଏ ପରୀକ୍ଷା ଓ ତଦନ୍ତର ପରବର୍ତ୍ତୀ ଫଳାଫଳ ଆଧାରରେ ସେମାନଙ୍କ ଭବିଷ୍ୟତ ନେଇ ନିଷ୍ପତ୍ତି ହେବ।
Young Indiaର political voice କିଏ represent କରୁଛି&m...
Keralaରେ BJPର ସୀମିତ ରାଜନୈତିକ ବୃଦ୍ଧି ପଛରେ CPI(M)ର ଦ...
ତାମିଲାଗା ବେତ୍ରି କଳଗମ୍ (TVK) ମୁଖ୍ୟ ସି. ଜୋସେଫ ବିଜୟ ତ...
ପୂର୍ବତନ IAS ଅଧିକାରୀDivya Mittalପ୍ରଶାସନିକ ସେବା ଛାଡ଼...