ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ସୀମାନ୍ତବର୍ତ୍ତୀ ଶଙ୍ଖମେଡ଼ି ଗାଁରେ ଚାଲିଥିବା ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ସର୍ଭେକୁ ନେଇ ନୂଆ ବିବାଦ ଦେଖାଦେଇଛି। ଗ୍ରାମବାସୀମାନେ ସର୍ଭେରେ ସହଯୋଗ କରିବାକୁ ମନା କରିବା ସହ ବୁଥ୍ ଲେଭେଲ୍ ଅଫିସର (BLO)ଙ୍କୁ ସର୍ଭେ ସମ୍ପୂର୍ଣ୍ଣ ନକରି ଫେରାଇ ଦେଇଥିବା ଜଣାପଡ଼ିଛି।
ଗ୍ରାମବାସୀଙ୍କ କହିବା ଅନୁସାରେ, ସେମାନେ ପୂର୍ବରୁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ SIR ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଏବଂ ସେଠାର ବିଧାନସଭା ନିର୍ବାଚନରେ ଭୋଟ ମଧ୍ୟ ଦେଇଛନ୍ତି। ଏହି କାରଣ ଦର୍ଶାଇ ସେମାନେ ଓଡ଼ିଶା ପକ୍ଷରୁ ହେଉଥିବା ସର୍ଭେରେ ଅଂଶଗ୍ରହଣ କରିବେ ନାହିଁ ବୋଲି BLOଙ୍କୁ ସ୍ପଷ୍ଟ କରିଥିଲେ।
ଏହି ଘଟଣା ପୁଣିଥରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦର କେନ୍ଦ୍ରବିନ୍ଦୁରେ ଥିବା ଶଙ୍ଖମେଡ଼ି ଗାଁକୁ ଚର୍ଚ୍ଚାକୁ ଆଣିଛି। ଓଡ଼ିଶା ଏହି ଗାଁକୁ ନିଜ ଅଞ୍ଚଳର ଅଂଶ ବୋଲି ଦାବି କରୁଥିବା ବେଳେ ପଶ୍ଚିମବଙ୍ଗ ମଧ୍ୟ ଦୀର୍ଘ ବର୍ଷ ଧରି ଏହା ଉପରେ ଦାବି ଜଣାଇ ଆସୁଛି।
ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର କୋଟିଆ ବିବାଦ ପରି, ଶଙ୍ଖମେଡ଼ି ଗାଁ ମଧ୍ୟ ଦୁଇ ରାଜ୍ୟ ମଧ୍ୟରେ ଏକ ବିବାଦୀୟ ଅଞ୍ଚଳ ଭାବେ ପରିଚିତ। ସୂଚନା ଅନୁସାରେ, ପଶ୍ଚିମବଙ୍ଗ ସରକାର ଏହି ଗାଁକୁ ପୂର୍ବ ମେଦିନୀପୁର ଜିଲ୍ଲାର ରାମନଗର ବ୍ଲକ୍ ଅଧୀନକୁ ଆଣିବାକୁ ଚେଷ୍ଟା କରୁଥିବାରୁ ଦୀର୍ଘଦିନ ଧରି ବିବାଦ ଜାରି ରହିଛି।
ଗ୍ରାମବାସୀମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉଭୟ ରାଜ୍ୟର ଭୋଟର ପରିଚୟପତ୍ର ଏବଂ ଆଧାର କାର୍ଡ ଥିବା କୁହାଯାଉଛି। ସେମାନେ ଦୁଇ ରାଜ୍ୟର ବିଭିନ୍ନ ସରକାରୀ ସୁବିଧା ନେବା ସହ ନିର୍ବାଚନ ପ୍ରକ୍ରିୟାରେ ମଧ୍ୟ ଭାଗ ନେଇଆସୁଛନ୍ତି।
ଏହି ଘଟଣାକୁ ନେଇ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଛନ୍ତି ଯେ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)ଙ୍କ ରିପୋର୍ଟ ମିଳିବା ପରେ ହିଁ ପ୍ରଶାସନ ପକ୍ଷରୁ ସରକାରୀ ପ୍ରତିକ୍ରିୟା ଦିଆଯିବ।
ବିଶ୍ୱ ଶେୟାର ବଜାରରେ ଦେଖାଦେଇଥିବା ନକାରାତ୍ମକ ପରିସ୍ଥିତି...
ଇରାନକୁ କେନ୍ଦ୍ର କରି ଉପସାଗର ଅଞ୍ଚଳରେ ଚାଲିଥିବା ସଂଘର୍ଷ...
ଆଫଗାନିସ୍ତାନରେ ତାଲିବାନ ଶାସନ ଅଧୀନରେ ଲାଗୁ ହୋଇଥିବା କଡ଼...
ପ୍ରାୟ ଏକ ସପ୍ତାହ ଧରି ଲାଗିଥିବା ପ୍ରତିବନ୍ଧକ ପରେ ଲୋକପ୍ର...