ହାଇଦ୍ରାବାଦ: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି ତେଲେଙ୍ଗାନା ସରକାର। ଏଣିକି ଦଶମ ଶ୍ରେଣୀ ପରେ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ୧ ଓ ଯୁକ୍ତ ୨ ପାଠପଢ଼ା ପାଇଁ ଅଲଗା ଜୁନିୟର କଲେଜକୁ ଯିବାକୁ ପଡ଼ିନପାରେ। ୨୦୨୭-୨୮ ଶିକ୍ଷାବର୍ଷରୁ ଏହି ଦୁଇ ଶ୍ରେଣୀକୁ ସାଧାରଣ ସ୍କୁଲ ଶିକ୍ଷା ବ୍ୟବସ୍ଥା ସହ ଯୋଡ଼ିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି।
ନଭେମ୍ବର ୧୧ ତାରିଖରେ ଶିକ୍ଷା ବିଭାଗର ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଏହି ପରିବର୍ତ୍ତନ ସମ୍ପର୍କରେ ଘୋଷଣା କରିଥିବା ଜଣାପଡ଼ିଛି। ଏହା ଫଳରେ ରାଜ୍ୟରେ ଚାଲିଥିବା ପୃଥକ୍ ଇଣ୍ଟରମିଡିଏଟ୍ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ।
ପ୍ରସ୍ତାବିତ ନୂଆ ବ୍ୟବସ୍ଥା ଅନୁସାରେ ତେଲେଙ୍ଗାନାରେ ସ୍କୁଲ ଶିକ୍ଷାକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରିବାକୁ ଯୋଜନା ରହିଛି।
ପ୍ରାଥମିକ ଶିକ୍ଷା: ନର୍ସରୀରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ।
ମାଧ୍ୟମିକ ଶିକ୍ଷା: ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ।
ସିନିୟର ସେକେଣ୍ଡାରୀ ଶିକ୍ଷା: ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ।
ଏହି ପ୍ରସ୍ତାବ ଲାଗୁ ହେଲେ ଯୁକ୍ତ ୧ ଓ ଯୁକ୍ତ ୨ ପାଠପଢ଼ା ମଧ୍ୟ ସ୍କୁଲ ଶିକ୍ଷା ବ୍ୟବସ୍ଥାର ଅଂଶ ହୋଇଯିବ। ଏବେ ଦଶମ ପର୍ଯ୍ୟନ୍ତ ପାଠପଢ଼ା ସ୍କୁଲ ଶିକ୍ଷା ବିଭାଗ ଅଧୀନରେ ରହୁଥିବା ବେଳେ ଯୁକ୍ତ ୨ ପର୍ଯ୍ୟନ୍ତ ପାଠପଢ଼ା ତେଲେଙ୍ଗାନା ବୋର୍ଡ ଅଫ୍ ଇଣ୍ଟରମିଡିଏଟ୍ ଏଜୁକେସନ୍ ଅଧୀନରେ ପରିଚାଳିତ ହେଉଛି। ନୂଆ ବ୍ୟବସ୍ଥାରେ ଏହି ଦୁଇଟି ପର୍ଯ୍ୟାୟକୁ ଏକୀକୃତ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ପରିବର୍ତ୍ତନ ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦଶମ ଶ୍ରେଣୀ ପରେ ପାଠପଢ଼ା ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କମାଇବା। ଦଶମ ପରେ ଅଲଗା ଜୁନିୟର କଲେଜକୁ ଯିବାକୁ ପଡ଼ୁଥିବାରୁ ଅନେକ ଛାତ୍ରଛାତ୍ରୀ ଆଉ ଉଚ୍ଚଶିକ୍ଷା ଜାରି ରଖୁନାହାନ୍ତି ବୋଲି ସରକାର ଚିନ୍ତା ପ୍ରକାଶ କରିଛନ୍ତି।
ଦି ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁସାରେ, ତେଲେଙ୍ଗାନାରେ ଦଶମ ପରେ ପ୍ରାୟ ୪୦ ପ୍ରତିଶତ ଛାତ୍ରଛାତ୍ରୀ ଇଣ୍ଟରମିଡିଏଟ୍ ଶିକ୍ଷାକୁ ଯାଉନାହାନ୍ତି। ଏଥିରେ ଝିଅ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ତେଣୁ ସ୍କୁଲରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାର ସୁବିଧା ରହିଲେ ଶିକ୍ଷାରେ ନିରନ୍ତରତା ବଜାୟ ରହିବ ବୋଲି ସରକାର ଆଶା ରଖିଛନ୍ତି।
ନୂଆ ଶିକ୍ଷା ବ୍ୟବସ୍ଥା ଲାଗୁ କରିବା ପାଇଁ ସ୍କୁଲଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ରହିଛି କି ନାହିଁ, ତାହାର ଆକଳନ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କହିଛନ୍ତି। ଶ୍ରେଣୀଗୃହ, ପରୀକ୍ଷାଗାର, ଶିକ୍ଷାଦାନ ସୁବିଧା ଏବଂ ଆବଶ୍ୟକ ଶିକ୍ଷକଙ୍କ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ।
ଏହା ସହ ସରକାରୀ ସ୍କୁଲର ଶିକ୍ଷାର ମାନ ଓ ସୁବିଧାକୁ ଘରୋଇ ସ୍କୁଲ ସହ ସମକକ୍ଷ କରିବାକୁ ମଧ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଦ୍ୱାଦଶ ଶ୍ରେଣୀ ପରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଓ ନିଜ ପସନ୍ଦର ବିଷୟରେ ଉଚ୍ଚଶିକ୍ଷା ଗ୍ରହଣ ପାଇଁ ସୁଯୋଗ ସୃଷ୍ଟି ଉପରେ ମଧ୍ୟ ଜୋର୍ ଦିଆଯାଉଛି।
ତେବେ ଜୁନିୟର କଲେଜଗୁଡ଼ିକର ବର୍ତ୍ତମାନର ପାଠ୍ୟକ୍ରମ, ଶିକ୍ଷକ ଓ ଭିତ୍ତିଭୂମିକୁ ନୂଆ ବ୍ୟବସ୍ଥାରେ କିପରି ସାମିଲ କରାଯିବ, ସେନେଇ ବିସ୍ତୃତ ନିୟମାବଳୀ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ୨୦୨୭-୨୮ ଶିକ୍ଷାବର୍ଷରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ନଭେମ୍ବର ୧୩ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ଭୁବନେ...
ପଞ୍ଜାବବାସୀଙ୍କୁ ଉନ୍ନତ ଭବିଷ୍ୟତ ଦେବାକୁ କଂଗ୍ରେସର ସଂକଳ୍...
ଭଲ ନମ୍ବର ରଖିବାରୁ ପୁଅକୁ ମିଳିଲା ଦାମୀ BMW କାର୍ ପଶ୍...
ବଙ୍ଗୋପସାଗରରେ ପୁଣି ଏକ ପାଣିପାଗ ପ୍ରଣାଳୀ ଭୁବନେଶ୍ୱର:...
ପାଟ୍ରୋଲିଂ ଡ୍ୟୁଟିରୁ ନିଖୋଜ, ପରେ ମିଳିଲା ଦୁଇ SPOଙ୍କ ମୃ...
ବେଙ୍ଗାଲୁରୁ ମେଟ୍ରୋ ଉଦ୍ଘାଟନକୁ ନେଇ ରାଜନୈତିକ ବୟାନବାଜି...
ଉପକୂଳ ଓଡ଼ିଶାରେ କମିଲା ଶୀତର ପ୍ରଭାବ ଭୁବନେଶ୍ୱର: ରାଜ...
୧୪ ତାରିଖ ଯାଏଁ ଜାରି ରହିବ ଶୀତ ଭୁବନେଶ୍ୱର: ଧୀରେ ଧୀର...