ଶିକ୍ଷା କେବଳ ବହି, ଖାତା ଓ ଶ୍ରେଣୀଗୃହ ମଧ୍ୟରେ ସୀମିତ ନୁହେଁ। ଅନେକ ଶିକ୍ଷକଙ୍କ ପାଇଁ ଏହା ଜୀବନ ପରିବର୍ତ୍ତନର ଏକ ମିଶନ। ଦାରିଦ୍ର୍ୟ, ଦିବ୍ୟାଙ୍ଗତା ଓ କଠିନ ପରିସ୍ଥିତି ଭଳି ବାଧାକୁ ଅତିକ୍ରମ କରି ସେମାନେ ପିଲାମାନଙ୍କ ଭବିଷ୍ୟତ ଗଢ଼ୁଛନ୍ତି।
ଏହି ଶିକ୍ଷକ ଦିବସରେ ଓଡ଼ିଶାର ଏଭଳି କିଛି ପ୍ରେରଣାଦାୟକ ଶିକ୍ଷକ ଓ ସମାଜସେବୀଙ୍କ କାହାଣୀ ସାମ୍ନାକୁ ଆସିଛି।
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକର କୁଦୁତାଇ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କୈଳାଶ ଚନ୍ଦ୍ର ସାହୁ ଜନ୍ମରୁ ଦୃଷ୍ଟିବାଧିତ। କିନ୍ତୁ ଦୃଷ୍ଟିଶକ୍ତିର ଅଭାବ କେବେ ବି ତାଙ୍କ ଆତ୍ମବିଶ୍ୱାସ ଓ ଲକ୍ଷ୍ୟରେ ବାଧା ସୃଷ୍ଟି କରିପାରିନାହିଁ।
ଖୋର୍ଦ୍ଧା ଜିଲ୍ଲା ରାଜସୁନାଖଳା ନିକଟସ୍ଥ ଗୁଡ଼ିଆଳି ଗାଁର ବାସିନ୍ଦା କୈଳାଶ ଆର୍ଥିକ ଅସୁବିଧା ସତ୍ତ୍ୱେ ଉଚ୍ଚଶିକ୍ଷା ହାସଲ କରିଥିଲେ। ୨୦୧୧ରେ କୁଦୁତାଇ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସହାୟକ ଭାବେ ତାଙ୍କ ଶିକ୍ଷକ ଜୀବନ ଆରମ୍ଭ ହୋଇଥିଲା। ଦୀର୍ଘ ବର୍ଷ ପରେ ମଧ୍ୟ ସେ ସେହି ବିଦ୍ୟାଳୟରେ ପିଲାଙ୍କୁ ପଢ଼ାଉଛନ୍ତି।
ବ୍ରେଲ୍ ପୁସ୍ତକ ସହ ବିଭିନ୍ନ ନୂଆ ଶିକ୍ଷାଦାନ ପଦ୍ଧତି ବ୍ୟବହାର କରି ସେ ପିଲାମାନଙ୍କୁ ପାଠ ବୁଝାନ୍ତି। ଗୀତ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକଳାପ ମାଧ୍ୟମରେ ପିଲାଙ୍କୁ ପାଠପଢ଼ା ପ୍ରତି ଆକୃଷ୍ଟ କରନ୍ତି।
କୈଳାଶଙ୍କ ପାଇଁ ଦୃଷ୍ଟିବାଧିତା କୌଣସି ଦୁର୍ବଳତା ନୁହେଁ। ତାଙ୍କ ଆତ୍ମବିଶ୍ୱାସ ଓ ଦୃଢ଼ ସଂକଳ୍ପ ହିଁ ତାଙ୍କର ସବୁଠୁ ବଡ଼ ଶକ୍ତି।
କୈଳାଶ କହିଛନ୍ତି,“ଭଗବାନଙ୍କ କୃପାରୁ ମୋତେ ଏହି ସୁଯୋଗ ମିଳିଛି। ୨୦୧୧ରୁ ମୁଁ ଏଠାରେ ଶିକ୍ଷକ ଭାବେ ସେବା କରୁଛି। ମୁଁ ସବୁବେଳେ ମୋ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିବାକୁ ଚାହେଁ ଏବଂ ସେମାନେ ନିଜ ପିତାମାତାଙ୍କୁ ଗର୍ବିତ କରନ୍ତୁ ବୋଲି ଚାହେଁ।”
ଛାତ୍ରୀ ସୋନାଲି ବେହେରା କହିଛନ୍ତି ଯେ କୈଳାଶ ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ ତାଙ୍କ ଶିକ୍ଷାଦାନରେ ଏହା କେବେ ବାଧା ହୋଇନାହିଁ। ସେ ଛାତ୍ରଛାତ୍ରୀଙ୍କୁ ଭଲପାଇବା ସହ ପଢ଼ାରେ ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଦିଅନ୍ତି।
ଏପଟେ ଭଦ୍ରକ ଜିଲ୍ଲାର ଚାରିଘରିଆ ଆଦିବାସୀ ବସ୍ତିରେ ଆର୍ଥିକ ଦୁର୍ବଳ ପରିବାରର ପିଲାଙ୍କ ପାଇଁ ଅବସରପ୍ରାପ୍ତ ଶିକ୍ଷକ ଓ ଯୁବ ସମାଜସେବୀମାନେ ମାଗଣା ଶିକ୍ଷାର ବ୍ୟବସ୍ଥା କରୁଛନ୍ତି।
ଏହି ପରିବାରଗୁଡ଼ିକ ମୟୂରଭଞ୍ଜ ଓ କେନ୍ଦୁଝରରୁ ଆସି ଏଠାରେ ରହୁଛନ୍ତି। ପରିବାରର ଅଧିକାଂଶ ସଦସ୍ୟ ଦିନ ମଜୁରି କରି ଜୀବିକା ନିର୍ବାହ କରନ୍ତି।
ଏଠାରେ ପିଲାମାନଙ୍କୁ ଓଡ଼ିଆ ଓ ଇଂରାଜୀ ସମେତ ବିଭିନ୍ନ ବିଷୟ ପଢ଼ାଯାଉଛି। ଏହା ସହିତ ସ୍ୱଚ୍ଛତା, ପରିଚ୍ଛନ୍ନତା ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ପିଲାଙ୍କୁ ଶିକ୍ଷା ଦିଆଯାଉଛି।
ଛାତ୍ରୀ ପୂଜା ବିରୁଆ କହିଛନ୍ତି,“ଆମକୁ ଇଂରାଜୀ ଓ ଓଡ଼ିଆ ଭଳି ବିଷୟ ପଢ଼ାଯାଏ। ସ୍ୱଚ୍ଛତା ଓ ନିଜକୁ କିପରି ସଫା ରଖିବାକୁ ହୁଏ, ସେ ବିଷୟରେ ମଧ୍ୟ ଶିଖାଯାଏ। ବଡ଼ ହେଲେ ମୁଁ ପୋଲିସ ଅଫିସର ହେବାକୁ ଚାହେଁ।”
ଅଭିଭାବକମାନେ ମଧ୍ୟ ଏହି ପଦକ୍ଷେପରେ ଖୁସି ଅଛନ୍ତି। ପିଲାମାନେ ପାଠପଢ଼ି ଆଗକୁ ବଢ଼ନ୍ତୁ ଏବଂ ସେମାନଙ୍କ ଭଳି କଷ୍ଟକର ଜୀବନ ନ ଜିଅନ୍ତୁ ବୋଲି ସେମାନେ ଚାହୁଁଛନ୍ତି।
୨୦୦୯ରେ ମାତ୍ର ଜଣେ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ମାଗଣା ସ୍କୁଲ୍ରେ ଏବେ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ୫୦ ଜଣ ଛାତ୍ରଛାତ୍ରୀପଢ଼ୁଛନ୍ତି।
ଏଠାରେ ଶିକ୍ଷକମାନେ କୌଣସି ଦରମା ନେଉନାହାନ୍ତି ଏବଂ ଛାତ୍ରଛାତ୍ରୀଙ୍କଠାରୁ ମଧ୍ୟ କୌଣସି ଫି’ ନିଆଯାଉନାହିଁ। ପିଲାମାନଙ୍କ ଭବିଷ୍ୟତ ବଦଳାଇବା ହିଁ ସମସ୍ତଙ୍କର ଏକମାତ୍ର ଲକ୍ଷ୍ୟ।
ଅବସରପ୍ରାପ୍ତ ଅଧ୍ୟାପିକା ରାଧାରାଣୀ ମହାପାତ୍ର କହିଛନ୍ତି,“୨୦୦୯ରେ ଆମେ ଆର୍ଥିକ ଭାବେ ଦୁର୍ବଳ ଏବଂ ଶିକ୍ଷାର ସୁଯୋଗରୁ ବଞ୍ଚିତ ପିଲାମାନଙ୍କୁ ମାଗଣା ଶିକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲୁ।”
ଏହି ଶିକ୍ଷକ ଓ ସମାଜସେବୀମାନଙ୍କ ପାଇଁ ଶିକ୍ଷା କେବଳ ଚାକିରି ପାଇବାର ମାଧ୍ୟମ ନୁହେଁ।ଶିକ୍ଷା ମାଧ୍ୟମରେ ଜୀବନ, ଚିନ୍ତାଧାରା ଓ ସମାଜକୁ ବଦଳାଇବା ହିଁ ସେମାନଙ୍କର ମୁଖ୍ୟ ଲକ୍ଷ୍ୟ।
ରୁଷିଆର ସାରାତୋଭ ଅଞ୍ଚଳର ଏଙ୍ଗେଲ୍ସ ସହରରେ ଜଣେ ସେନା ଅଧିକ...
ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ RG କର ହସ୍ପିଟାଲ...
ଭାରତୀୟ କ୍ରିକେଟ୍‌ ଟିମ୍‌ ପ୍ରଥମଥର ପାଇଁ ଜାପା...
ହର୍ମୁଜ୍ ପ୍ରଣାଳୀରେ ନୌଚଳାଚଳର ସ୍ୱାଧୀନତାକୁ ସମର୍ଥନ କରିବ...
ବିରୋଧୀ ଦଳ ନେତା ତଥା ବିଦ୍ରୋହୀ ଟିଏମ୍ସି ନେତା ରିତବ୍ରତ ବ...
ଇରାନର ଦକ୍ଷିଣ ଅଞ୍ଚଳର କୁହେସ୍ତାକ ସହରରେ ମଙ୍ଗଳବାର ଏକ ବି...
କୋଲକାତାର କ୍ୟାମାକ୍ ଷ୍ଟ୍ରିଟ୍ରେ ଅଭିଷେକ ବାନାର୍ଜୀଙ୍କ ଅଫ...
ଆମେରିକାର Federal Bureau of Investigation (FBI) ମଞ୍...