ନୂଆଦିଲ୍ଲୀ: ଅଦାଲତଙ୍କ ରାୟରେ ଅଜାଣତରେ ହୋଇଥିବା ଟାଇପ୍ କିମ୍ବା ତଥ୍ୟଗତ ତ୍ରୁଟି ପାଇଁ ବିଚାରପତିଙ୍କୁ କଠୋର ଟିପ୍ପଣୀର ସାମ୍ନା କରିବାକୁ ପଡ଼ିବ ନାହିଁ। ଏଭଳି ତ୍ରୁଟି ଯଦି ମାମଲାର ଅନ୍ତିମ ରାୟକୁ କୌଣସି ପ୍ରଭାବ ପକାଉନାହିଁ, ତେବେ ଏଥିପାଇଁ ବିଚାରପତିଙ୍କୁ କଠୋର ଭାବେ ସମାଲୋଚନା କରିବା ଅନାବଶ୍ୟକ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ।
ରାଜସ୍ଥାନ ହାଇକୋର୍ଟ ଜଣେ ମହିଳା ଟ୍ରାଏଲ୍ ଜଜ୍ଙ୍କ ରାୟରେ କିଛି ତଥ୍ୟଗତ ତ୍ରୁଟି ଦେଖିବା ପରେ ତାଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରିଥିଲେ। ଜଜ୍ ଜଣକ ‘କଟ୍, କପି ଆଣ୍ଡ ପେଷ୍ଟ୍’ ପଦ୍ଧତିରେ ରାୟ ପ୍ରସ୍ତୁତ କରିଥିବା ଏବଂ ଷ୍ଟେନୋଗ୍ରାଫର୍ କିମ୍ବା କ୍ଲର୍କଙ୍କ ଦ୍ୱାରା ରାୟ ଲେଖାଯାଇଥିବା ସମ୍ଭାବନା ରହିଥିବା ହାଇକୋର୍ଟ ମତ ଦେଇଥିଲେ। ଏଥିସହ ତାଙ୍କୁ ଜୁଡିସିଆଲ୍ ଏକାଡେମୀରେ ପ୍ରଶିକ୍ଷଣ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହାକୁ ଚ୍ୟାଲେଞ୍ଜ କରି ସମ୍ପୃକ୍ତ ବିଚାରପତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍ ସନ୍ଦୀପ ମେହତା ଏବଂ ଜଷ୍ଟିସ୍ ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କ ଖଣ୍ଡପୀଠ ତାଙ୍କ ଆବେଦନକୁ ଗ୍ରହଣ କରି ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରା କରାଯାଇଥିବା ନକାରାତ୍ମକ ଟିପ୍ପଣୀ ଓ କଠୋର ମନ୍ତବ୍ୟକୁ ହଟାଇ ଦେଇଛନ୍ତି ।
ଘଟଣାଟି ଗୋଟିଏ ମାମଲାରୁ ଉତ୍ପନ୍ନ ଦୁଇଟି ପୃଥକ୍ ବିଚାର ପ୍ରକ୍ରିୟା ସହ ଜଡ଼ିତ । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବାରୁ ଦୁଇଟି ଅଲଗା ମାମଲାରେ ବିଚାର ହୋଇଥିଲା। ଉଭୟ ମାମଲାରେ ପ୍ରମାଣ ଓ ସାକ୍ଷ୍ୟ ଶୁଣିବା ପରେ ବିଚାରପତି ପୃଥକ୍ ରାୟ ଦେଇଥିଲେ । ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଲେଖାଏଁ କଠୋର କାରାଦଣ୍ଡ ଦିଆଯାଇଥିଲା।
ତେବେ ଦୁଇଟି ରାୟ ପ୍ରସ୍ତୁତ କରିବା ସମୟରେ ଗୋଟିଏ ମାମଲାର କିଛି ସାକ୍ଷ୍ୟ ଓ ସଂଖ୍ୟାଗତ ତଥ୍ୟ ଅନ୍ୟ ମାମଲାର ରାୟରେ ଅଜାଣତରେ ସାମିଲ ହୋଇଯାଇଥିଲା। ଏହାକୁ ଆଧାର କରି ହାଇକୋର୍ଟ ବିଚାରପତିଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ ।
ସୁପ୍ରିମକୋର୍ଟ କହିଛନ୍ତି, ବିଚାରପତିଙ୍କୁ ନିଜ ପକ୍ଷ ରଖିବା କିମ୍ବା ତ୍ରୁଟି ସମ୍ପର୍କରେ ସ୍ପଷ୍ଟୀକରଣ ଦେବାର ସୁଯୋଗ ନଦେଇ ଏଭଳି କଠୋର ମନ୍ତବ୍ୟ ଦିଆଯିବା ଉଚିତ ନୁହେଁ। ଏହା ପ୍ରାକୃତିକ ନ୍ୟାୟର ମୌଳିକ ନୀତିର ଉଲ୍ଲଂଘନ। ଏପରି ନକାରାତ୍ମକ ଟିପ୍ପଣୀ ଜଣେ ନ୍ୟାୟିକ ଅଧିକାରୀଙ୍କ କ୍ୟାରିୟରକୁ ଗୁରୁତର ଭାବେ ପ୍ରଭାବିତ କରିପାରେ ଏବଂ ଜିଲ୍ଲାସ୍ତରୀୟ ନ୍ୟାୟପାଳିକାର ଅନ୍ୟ ଅଧିକାରୀଙ୍କ ମଧ୍ୟରେ ମଧ୍ୟ ଭୟ ସୃଷ୍ଟି କରିପାରେ ।
ଏହି ଆଧାରରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ କଠୋର ମନ୍ତବ୍ୟ ଓ ପ୍ରଶିକ୍ଷଣ ସମ୍ପର୍କିତ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି । ଏହି ରାୟ ମାଧ୍ୟମରେ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ନ୍ୟାୟିକ ଅଧିକାରୀଙ୍କ କାର୍ଯ୍ୟରେ ତ୍ରୁଟି ଥିଲେ ମଧ୍ୟ ତାହାର ସମୀକ୍ଷା ନ୍ୟାୟସଙ୍ଗତ ପ୍ରକ୍ରିୟା ଅନୁସାରେ ହେବା ଆବଶ୍ୟକ ।
UPSC CDS-I ଫାଇନାଲ୍ ରେଜଲ୍ଟ ୨୦୨୬ ପ୍ରକାଶ ପାଇଛି। ଏହି ପ...
ଧନତେରସ ଆସିବା ପୂର୍ବରୁ ସୁନା ଓ ରୁପା ବଜାରକୁ ନେଇ ଗ୍ରାହକ...
ତିନି ଦିନରେ ସେନ୍‌ସେକ୍ସ ପ୍ରାୟ ୩,୦୦୦ ପଏଣ୍ଟ ଉପରକୁ...
ଭାରତୀୟ ସେୟାର ବଜାରରେ ଲଗାତାର ସକାରାତ୍ମକ ଧାରା ଜାରି ରହି...
ଉଚ୍ଚଶିକ୍ଷା ହାସଲ କରିବାକୁ ଚାହୁଁଥିବା ମେଧାବୀ ଛାତ୍ରଛାତ୍...
ଗବେଷଣା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ସହଯୋଗ ଉଚ୍ଚଶିକ...
ବିହାର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୨୭ ବାର୍ଷିକ ପରୀ...
ଦୀପାବଳି ସମୟରେ ଭାରତୀୟ ଷ୍ଟକ୍ ମାର୍କେଟ୍ରେ ମୁହୂର୍ତ୍ତ ଟ୍...