‘OM’ ଟ୍ରେଲରରେ ଧମାକା! ଚନ୍ଦନ କାଠ ଚୋରାଚାଲାଣ ଗ୍ୟାଙ୍ଗରେ ଅଣ୍ଡରକଭର ଅଫିସର ଧନୁଷ, ଅପରେସନ୍‌ର ନେତୃତ୍ୱରେ ସାଇ ପଲ୍ଲବୀ

ଧନୁଷ, ସାଇ ପଲ୍ଲବୀ ଓ ମାମୁଟିଙ୍କ ଅଭିନୀତ ଆଗାମୀ ଆକ୍ସନ୍ ଥ୍ରିଲର୍ ଫିଲ୍ମ ‘OM’ର ଟ୍ରେଲର୍ ରିଲିଜ୍ ହୋଇଛି। ଆନ୍ଧ୍ରପ୍ରଦେଶର ଶେଷାଚଳମ୍ ଜଙ୍ଗଲ ଅଞ୍ଚଳରେ ଚାଲିଥିବା ଲାଲ ଚନ୍ଦନ କାଠ ଚୋରାଚାଲାଣକୁ କେନ୍ଦ୍ର କରି ଫିଲ୍ମର କାହାଣୀ ଗତିଶୀଳ ହୋଇଛି।
OM Trailer
OM Trailer

ମୁମ୍ବାଇ: ଦକ୍ଷିଣ ଭାରତୀୟ ସିନେମାପ୍ରେମୀଙ୍କ ପାଇଁ ଆସିଛି ଏକ ଦମଦାର ଖବର। ଧନୁଷ, ସାଇ ପଲ୍ଲବୀ ଓ ମାମୁଟିଙ୍କ ଅଭିନୀତ ଆଗାମୀ ଫିଲ୍ମ ‘OM’ର ଟ୍ରେଲର୍ ରିଲିଜ୍ ହୋଇଛି। ପ୍ରାୟ ୩ ମିନିଟ୍‌ର ଏହି ଟ୍ରେଲର୍‌ରେ ରହିଛି ଜଙ୍ଗଲ, ଲାଲ ଚନ୍ଦନ କାଠ ଚୋରାଚାଲାଣ, ପୋଲିସ ଅପରେସନ୍ ଓ ଜବରଦସ୍ତ ଆକ୍ସନ୍ ସିନ୍। ତିନି ଜଣ ଲୋକପ୍ରିୟ କଳାକାରଙ୍କ ଭିନ୍ନ ଭିନ୍ନ ଚରିତ୍ର ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସୁକତା ବଢ଼ାଇଛି।

କାଠ କଟାଳି ବେଶରେ ଚୋରାଚାଲାଣ ଗ୍ୟାଙ୍ଗରେ ଧନୁଷ

ଟ୍ରେଲର୍‌ରେ ଧନୁଷ ତାମିଲନାଡୁର Organised Crime Intelligence Unitର ଜଣେ ପୋଲିସ ଅଧିକାରୀ ଭାବେ ନଜର ଆସିଛନ୍ତି। ତାଙ୍କୁ ଲାଲ ଚନ୍ଦନ କାଠ ଚୋରାଚାଲାଣ କରୁଥିବା ଏକ ବଡ଼ ଗ୍ୟାଙ୍ଗର ଭିତରକୁ ପଠାଯାଇଛି। ଏଥିପାଇଁ ସେ କାଠ କଟାଳି ବେଶ ଧାରଣ କରି ଗ୍ୟାଙ୍ଗରେ ସାମିଲ ହେଉଛନ୍ତି।

ଗ୍ୟାଙ୍ଗର ସଦସ୍ୟଙ୍କ ବିଶ୍ୱାସ ଜିତିବା ସହ ଏହା ପଛରେ ଥିବା ମୁଖ୍ୟ ଲୋକଙ୍କୁ ଚିହ୍ନଟ କରିବା ତାଙ୍କ ମିଶନ୍। ତେବେ ଟ୍ରେଲର୍‌ର କିଛି ଦୃଶ୍ୟରେ ଧନୁଷ ପୋଲିସଙ୍କ ସହ ଲଢ଼ୁଥିବା ଦେଖାଯାଉଛି। ଏହା ତାଙ୍କ ଅଣ୍ଡରକଭର ମିଶନ୍‌କୁ ଆହୁରି ରହସ୍ୟମୟ କରିଛି।

ପୋଲିସ ଅପରେସନ୍‌ର ନେତୃତ୍ୱ ନେବେ ସାଇ ପଲ୍ଲବୀ

ଫିଲ୍ମରେ ସାଇ ପଲ୍ଲବୀ IPS ଅଧିକାରୀ ନିତ୍ୟା ରେଡ୍ଡୀ ଭୂମିକାରେ ଅଭିନୟ କରିଛନ୍ତି। ସେ ଆନ୍ଧ୍ରପ୍ରଦେଶର Exclusive Special Task Forceର ନେତୃତ୍ୱ ନେଉଛନ୍ତି। ଲାଲ ଚନ୍ଦନ କାଠ ଚୋରାଚାଲାଣ ଗ୍ୟାଙ୍ଗକୁ ଧରିବା ପାଇଁ ତାଙ୍କ ନେତୃତ୍ୱରେ ‘ଅପରେସନ୍ ମୋଲ୍’ ଆରମ୍ଭ ହେଉଛି।

ଏହି ଅପରେସନ୍‌ରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ପୋଲିସ ମିଳିତ ଭାବେ କାମ କରୁଥିବା ଟ୍ରେଲର୍‌ରୁ ଜଣାପଡ଼ୁଛି। ଚୋରାଚାଲାଣ ନେଟୱର୍କକୁ ଧ୍ୱଂସ କରିବା ଏହି ମିଶନ୍‌ର ମୁଖ୍ୟ ଲକ୍ଷ୍ୟ।

ମାମୁଟିଙ୍କ ରହସ୍ୟମୟ ଚରିତ୍ର

ଟ୍ରେଲର୍‌ରେ ମାମୁଟିଙ୍କ ଚରିତ୍ର ମଧ୍ୟ ବେଶ୍ ଆକର୍ଷଣୀୟ ରହିଛି। ସେ ଲାଲ ଚନ୍ଦନ କାଠର ବେଆଇନ କାରବାରକୁ ପରଦା ପଛରୁ ନିୟନ୍ତ୍ରଣ କରୁଥିବା ଜଣେ ରହସ୍ୟମୟ ବ୍ୟକ୍ତି ଭାବେ ଦେଖାଯାଇଛନ୍ତି। ତାଙ୍କ ଚରିତ୍ର ଓ ଧନୁଷଙ୍କ ମଧ୍ୟରେ ହେବାକୁ ଥିବା ମୁକାବିଲା ଫିଲ୍ମର ମୁଖ୍ୟ ଆକର୍ଷଣ ହୋଇପାରେ।

ଏହା ସହ ଶ୍ରୀଲୀଲା ଓ ନସିରୁଦ୍ଦିନ ଶାହଙ୍କ ସମେତ ଅନ୍ୟ କଳାକାରମାନେ ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି।

ଲାଲ ଚନ୍ଦନ କାଠ ଚୋରାଚାଲାଣକୁ ନେଇ କାହାଣୀ

ଆନ୍ଧ୍ରପ୍ରଦେଶର ଶେଷାଚଳମ୍ ଜଙ୍ଗଲ ଅଞ୍ଚଳକୁ କେନ୍ଦ୍ର କରି ଫିଲ୍ମର କାହାଣୀ ଗଢ଼ାଯାଇଛି। ଏଠାରେ ଚାଲୁଥିବା ଲାଲ ଚନ୍ଦନ କାଠର ବେଆଇନ ବ୍ୟବସାୟ ଓ ଏହାକୁ ରୋକିବା ପାଇଁ ପୋଲିସର ଅଭିଯାନକୁ ନେଇ ଫିଲ୍ମରେ ରୋମାଞ୍ଚକର ଘଟଣା ଦେଖିବାକୁ ମିଳିବ।

ନିର୍ଦ୍ଦେଶକ ରାଜକୁମାର ପେରିଆସାମୀ କହିଛନ୍ତି ଯେ, ୨୦୧୪ର ଏକ ବାସ୍ତବ ଘଟଣାରୁ ଫିଲ୍ମର କାହାଣୀର ଭାବନାତ୍ମକ ଆଧାର ମିଳିଥିଲା। ଏକ ସମାରୋହରେ ଅଢ଼େଇ ବର୍ଷର ଶିଶୁ କନ୍ୟାକୁ ନେଇ ଥିବା ପ୍ରାୟ ୩୦ ସେକେଣ୍ଡର ଭିଡିଓ ତାଙ୍କ ମନରେ ଦୀର୍ଘଦିନ ଧରି ରହିଥିଲା। ପରେ ଏହା ସ୍କ୍ରିପ୍ଟର ଭାବନାତ୍ମକ ଆଧାର ହୋଇଥିଲା।

ନଭେମ୍ବର ୨୦ରେ ରିଲିଜ୍ ହେବ ‘OM’

ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ରାଜକୁମାର ପେରିଆସାମୀ ଏହି ଫିଲ୍ମର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି। ଏହା ପୂର୍ବରୁ ସେ ‘ଅମରନ୍’ ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଜାତୀୟ ପୁରସ୍କାର ପାଇଥିଲେ।

‘OM’ ନଭେମ୍ବର ୨୦ ତାରିଖରେ ବିଶ୍ୱବ୍ୟାପୀ ସିନେମା ହଲ୍‌ରେ ମୁକ୍ତିଲାଭ କରିବ। ଏହା ପ୍ରଥମେ ତାମିଲ ଭାଷାରେ ଆସିବା ସହ ତେଲୁଗୁ, ହିନ୍ଦୀ, ମାଲାୟଲମ୍ ଓ କନ୍ନଡ ଭାଷାରେ ଡବ୍ ହୋଇ ରିଲିଜ୍ ହେବ।

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+