ଦୀର୍ଘ ବର୍ଷ ଧରି ପରିବାରଠାରୁ ଦୂରରେ ରହିବା ପରେ ଶେଷରେ ନିଜ ଘରକୁ ଫେରିଛନ୍ତି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ବାସିନ୍ଦା ହସ୍ତା ମହାନନ୍ଦ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ରହୁଥିବା ହସ୍ତାଙ୍କ ଭାରତ ଫେରା ଏବଂ ପରିବାର ସହ ପୁନର୍ମିଳନ ଏକ ଭାବପ୍ରବଣ ଘଟଣା ଭାବେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ, ହସ୍ତା ମହାନନ୍ଦ ୨୦୧୯ ମସିହାରେ କାମର ସନ୍ଧାନରେ ୟୁଏଇ ଯାଇଥିଲେ। ୨୦୨୨ ମସିହାରେ ସେ ଥରେ ଭାରତ ଆସି ପୁଣି ୟୁଏଇ ଫେରିଯାଇଥିଲେ। ତେବେ ତାହା ପରେ ଧୀରେ ଧୀରେ ପରିବାର ସହ ତାଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
ସମୟ ଗଡ଼ିଚାଲିଥିଲା, କିନ୍ତୁ ହସ୍ତାଙ୍କ ସମ୍ପର୍କରେ କୌଣସି ସୂଚନା ନମିଳିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଥିଲେ। ଶେଷରେ ସେମାନେ ସହାୟତା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ହସ୍ତାଙ୍କ ଏକ ଭିଡିଓ ଆବେଦନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏହା ପରେ ତାଙ୍କୁ ଖୋଜିବା ପାଇଁ ପ୍ରୟାସ ତ୍ୱରାନ୍ୱିତ ହୋଇଥିଲା।
ଦୁବାଇସ୍ଥିତ ଭାରତୀୟ କନସୁଲେଟ୍ ୟୁଏଇ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ହସ୍ତାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ ସେ ଆର୍ଥିକ ସମସ୍ୟାରେ ରହିଥିବାରୁ ନିଜ ଖର୍ଚ୍ଚରେ ଭାରତ ଫେରିବାରେ ଅସମର୍ଥ ଥିଲେ।
ପରବର୍ତ୍ତୀ ସମୟରେ ଭାରତୀୟ କନସୁଲେଟ୍ ତାଙ୍କ ପାଇଁ ଅସ୍ଥାୟୀ ରହଣି ବ୍ୟବସ୍ଥା କରିବା ସହ ଆବଶ୍ୟକ ସହାୟତା ଯୋଗାଇଥିଲା। ଇଣ୍ଡିଆନ୍ କମ୍ୟୁନିଟି ୱେଲଫେୟାର ଫଣ୍ଡର ସହଯୋଗରେ ତାଙ୍କ ଯାତ୍ରା ଟିକେଟ୍ ବ୍ୟବସ୍ଥା କରାଯାଇଥିଲା ଏବଂ ସମସ୍ତ ଔପଚାରିକତା ସମ୍ପୂର୍ଣ୍ଣ ହେବା ପରେ ସେ ଭାରତ ଫେରିଥିଲେ।
ହସ୍ତାଙ୍କ ଘରକୁ ଫେରିବା ତାଙ୍କ ପରିବାର ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ହୋଇଥିଲା। ବିଶେଷକରି ତାଙ୍କର ତିନି ଝିଅ ଦୀର୍ଘ ବର୍ଷ ଧରି ମା’ଙ୍କ ଫେରିବାକୁ ଅପେକ୍ଷା କରୁଥିଲେ। ଶେଷରେ ମା’ ଓ ଝିଅମାନଙ୍କର ପୁନର୍ମିଳନ ସହ ଦୀର୍ଘ ଅପେକ୍ଷା ଓ ଅନିଶ୍ଚିତତାର ଅନ୍ତ ଘଟିଛି।
ବିରୋଧୀ ଦଳ ନେତା ତଥା ବିଦ୍ରୋହୀ ଟିଏମ୍ସି ନେତା ରିତବ୍ରତ ବ...
ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ RG କର ହସ୍ପିଟାଲ...
କୋଲକାତାର କ୍ୟାମାକ୍ ଷ୍ଟ୍ରିଟ୍ରେ ଅଭିଷେକ ବାନାର୍ଜୀଙ୍କ ଅଫ...
ଭାରତୀୟ କ୍ରିକେଟ୍‌ ଟିମ୍‌ ପ୍ରଥମଥର ପାଇଁ ଜାପା...