ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକରେ ଅନେକ ତ୍ରୁଟି ଧରାପଡ଼ିବା ପରେ ଓଡ଼ିଶାରେ ରାଜନୈତିକ ବିବାଦ ଜୋର ଧରିଛି। ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ସରକାର ଏହି ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।
ବିରୋଧୀ ଦଳ ନେତା ଏବଂ ବିଜେଡି ସଭାପତି ନବୀନ ପଟ୍ଟନାୟକ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ବିଜେପି ସରକାରଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ସରକାର ଛାତ୍ରଛାତ୍ରୀଙ୍କୁ ସମୟରେ ପୁସ୍ତକ ଯୋଗାଇବାରେ ବିଫଳ ହୋଇଥିବା ବେଳେ ବଣ୍ଟନ ହୋଇଥିବା ପୁସ୍ତକରେ ଅନେକ ତ୍ରୁଟି ରହିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଭବିଷ୍ୟତକୁ ପ୍ରଭାବିତ କରିଛି।
ସୋସିଆଲ ମିଡିଆ ପୋଷ୍ଟରେ ନବୀନ ପଟ୍ଟନାୟକ ଲେଖିଛନ୍ତି, “ଶିକ୍ଷା ହେଉଛି ଜୀବନର ମେରୁଦଣ୍ଡ। କିନ୍ତୁ ବିଜେପି ସରକାର ଅମଳରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ମହାପୁରୁଷମାନଙ୍କ ନାମ ଭୁଲ ଲେଖିବା, ଗଞ୍ଜାମ ବଦଳରେ ବ୍ରହ୍ମପୁରକୁ ଜିଲ୍ଲା ଭାବେ ଦର୍ଶାଇବା ଓ ବନାନ ତ୍ରୁଟି ଭଳି ଘଟଣା ଛୋଟ କଥା ନୁହେଁ।”
ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଏହାକୁ “କ୍ଷମାଯୋଗ୍ୟ ନୁହେଁ” ବୋଲି କହିଥିଲେ। ସେ ଅଭିଯୋଗ କରିଥିଲେ ଯେ, ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ମୁଦ୍ରଣ ପ୍ରକ୍ରିୟାରେ ଗୁଣାତ୍ମକ ନିୟନ୍ତ୍ରଣର ଅଭାବ ରହିଛି।
ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି। ଭୁବନେଶ୍ୱରରେ କଂଗ୍ରେସ କର୍ମୀମାନେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା।
ଏହି ବିବାଦ ବଢ଼ିବା ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପାଠ୍ୟପୁସ୍ତକରେ ତ୍ରୁଟି ଥିବା ସ୍ୱୀକାର କରିଥିଲେ। ସେ କହିଥିଲେ ଯେ, ସମସ୍ତ ତ୍ରୁଟିର ସଂଶୋଧନ କରାଯିବ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପକ୍ଷରୁ ବିକାଶ ଆୟୁକ୍ତ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କମିଟିରେ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ ଓ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ସ୍ମିତା ପାଣି ସଦସ୍ୟ ଅଛନ୍ତି।
ଏହି କମିଟିକୁ ପାଠ୍ୟପୁସ୍ତକରେ କିପରି ଏତେ ତ୍ରୁଟି ହେଲା, କିଏ ଏଥିପାଇଁ ଦାୟୀ ଓ ମୁଦ୍ରଣ ପ୍ରକ୍ରିୟାର କେଉଁ ସ୍ତରରେ ତ୍ରୁଟି ଘଟିଲା, ତାହା ଯାଞ୍ଚ କରି ସାତ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏହି ପ୍ରସଙ୍ଗର ସମୀକ୍ଷା କରି ତୁରନ୍ତ ସମସ୍ତ ତ୍ରୁଟି ସଂଶୋଧନ କରିବା ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
CAT 2026 ପାଇଁ ପ୍ରସ୍ତୁତି ନେଉଥିବା MBA ଆଶାୟୀଙ୍କ ପାଇଁ...
କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...
ହିମାଚଳ ପ୍ରଦେଶର ଛାତ୍ରଛାତ୍ରୀ ଏବଂ ମେଡିକାଲ...
FIFA ସଭାପତି ଜିଆନି ଇନ୍ଫାଣ୍ଟିନୋ ନିଜ ପଦରୁ ଇସ୍ତଫା ଦେବା...
MIT ଓ IITକୁ ନେଇ ଏକ ଚର୍ଚ୍ଚା ପୁଣି ସାମ୍ନାକୁ ଆସିଛି&mda...
Mumbai Indiansର ନୂଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପ...
କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...
ବିଦେଶରେ ପଢ଼ିବା ନେଇ ଭାରତୀୟ ଛାତ୍ରଛାତ୍ରୀଙ୍କ ଚିନ୍ତାଧାର...