ବିଧାୟକ ପାଣ୍ଠିରେ ମଞ୍ଜୁର ହେଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଏବେ ଜମି ସମସ୍ୟା ଯୋଗୁଁ ଅଟକି ରହୁଛି। କେଉଁଠି ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ମିଳୁନାହିଁ ତ ଆଉ କେଉଁଠି ଅଧିକାରୀଙ୍କ ଅବହେଳା ଯୋଗୁଁ କାମ ଆଗକୁ ବଢ଼ିପାରୁନାହିଁ। ଫଳରେ ଲୋକଙ୍କ ପାଇଁ ମଞ୍ଜୁର ହେଉଥିବା ବିକାଶମୂଳକ ଯୋଜନା କାଗଜପତ୍ରରେ ସୀମିତ ରହିଯାଉଛି।
ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ କାମ କରିବାକୁ ଚାହିଁଲେ ମଧ୍ୟ ବିଧାୟକମାନେ ଏଭଳି ସମସ୍ୟାର ସାମ୍ନା କରୁଛନ୍ତି। ଏହି ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳର ବିଧାୟକମାନେ ବିଧାନସଭାରେ ଏକାଠି ସ୍ୱର ଉଠାଇଛନ୍ତି।
ବିଧାନସଭାରେ ଏହି ସମସ୍ୟା ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ। ସେହିପରି ବିଜେପି ବିଧାୟକ ଲକ୍ଷ୍ମଣ ବାଗ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ସମାନ ପ୍ରସଙ୍ଗ ଉଠାଇଥିଲେ।
ବିଧାୟକମାନଙ୍କ ଅଭିଯୋଗ ଅନୁସାରେ, ବିଧାୟକ ପାଣ୍ଠିରୁ ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ମିଳୁଥିଲେ ମଧ୍ୟ ଜମି ଉପଲବ୍ଧ ନହେବା ଓ ଅଧିକାରୀଙ୍କ ଅବହେଳା ଯୋଗୁଁ କାମ ଆରମ୍ଭ ହୋଇପାରୁନାହିଁ।
ବିଧାୟକମାନେ ପ୍ରଶ୍ନ ଉଠାଇଥିଲେ ଯେ, ଯଦି ବିଧାୟକ ପାଣ୍ଠିରେ ଲୋକଙ୍କ ପାଇଁ ମଞ୍ଜୁର ହେଉଥିବା କାମ ହୋଇପାରୁନାହିଁ, ତେବେ ଏହି ପାଣ୍ଠିର ଉପଯୋଗିତା କ'ଣ?
ଏପରିକି ଏହି ପାଣ୍ଠିକୁ ବନ୍ଦ କରିଦିଆଯାଉ, ନଚେତ୍ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସରକାର ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେମାନେ ଦାବି କରିଥିଲେ। ଏହାକୁ ନେଇ ବିଧାନସଭାରେ ବିଧାୟକମାନଙ୍କ ଅସନ୍ତୋଷ ପ୍ରକାଶ ପାଇଥିଲା।
ବିଧାୟକମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ବାଚସ୍ପତି ସୁରମା ପାଢ଼ୀ ଏହି ସମସ୍ୟାର ସମୀକ୍ଷା କରିବା ସହ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେବା ପାଇଁ ରାଜସ୍ୱ ମନ୍ତ୍ରୀଙ୍କୁ ରୁଲିଂ ଦେଇଥିଲେ।
ଏହାର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗୃହକୁ ଅବଗତ କରାଇ କହିଥିଲେ ଯେ, ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ଓ ଆରଡିସିମାନଙ୍କୁ ସ୍ୱତନ୍ତ୍ର ସର୍କୁଲାର ପଠାଯିବ। ଏହାଦ୍ୱାରା ଅଟକି ରହିଥିବା ପ୍ରକଳ୍ପଗୁଡ଼ିକର କାମ ଆଗକୁ ବଢ଼ିବା ନେଇ ଆଶା ସୃଷ୍ଟି ହୋଇଛି।
ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଏବେ ସମସ୍ତଙ୍କ ନଜର ସ୍ୱତନ୍ତ୍ର ସର୍କୁଲାର ଉପରେ ରହିଛି। ଏହା କେବେ ଜାରି ହେବ, ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ କେତେ ତତ୍ପରତା ଦେଖାଇବେ ଏବଂ ଅଟକି ରହିଥିବା ପ୍ରକଳ୍ପଗୁଡ଼ିକ କେବେ ଆରମ୍ଭ ହେବ, ତାହା ଉପରେ ନଜର ରହିଛି।
ସରକାରଙ୍କ ନିର୍ଦ୍ଦେଶ ପରେ ବିଧାୟକ ପାଣ୍ଠିରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ତୃଣମୂଳ ସ୍ତରରେ କେତେ ଶୀଘ୍ର ବାସ୍ତବ ରୂପ ନେଉଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ତିରୁପତି: ଭଗବାନ ଶ୍ରୀ ଭେଙ୍କଟେଶ୍ୱରଙ୍କ ପ୍ରତି ଅତୁଟ ଭକ୍ତ...
ନୂଆଦିଲ୍ଲୀ: SBI କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ଗ୍ରା...
ଭାରତର ଜଙ୍ଗଲରେ ପୁଣିଥରେ ଚିତାଙ୍କ ବଂଶବୃଦ୍ଧି ହେବାର ଆଶା...
ନୂଆଦିଲ୍ଲୀ: ସମସ୍ତ ବିଜେପି ଶାସିତ ରାଜ୍ୟରେ ସମାନ ନାଗରିକ...