ଭୁବନେଶ୍ୱର: ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ସ୍ଥାନାନ୍ତର ପ୍ରକ୍ରିୟାକୁ ନେଇ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ରାଜ୍ୟରେ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ସ୍ଥିର କରିବା କିମ୍ବା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁଞ୍ଚାଇବା ପାଇଁ ସ୍ପଷ୍ଟ ଓ ସୁସଂଗଠିତ ପ୍ରଶାସନିକ ନିୟମାବଳୀ ପ୍ରସ୍ତୁତ କରିବାକୁ ସରକାରଙ୍କୁ କହିଛନ୍ତି କୋର୍ଟ। ଏଭଳି ନିୟମ ନଥିଲେ ମନମୁଖୀ ନିଷ୍ପତ୍ତି ଓ ବାରମ୍ବାର ଆଇନଗତ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି କୋର୍ଟ ମତ ଦେଇଛନ୍ତି।
ନୟାଗଡ଼ ଜିଲ୍ଲାର ଗୋଡ଼ିପଲ୍ଲୀ ଗ୍ରାମ ପଞ୍ଚାୟତର ମୁଖ୍ୟାଳୟ ସ୍ଥାନାନ୍ତର ସମ୍ପର୍କିତ ଏକ ରିଟ୍ ଆବେଦନର ଅପିଲ୍ ଶୁଣାଣି ବେଳେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଆସିଛି। ଜଷ୍ଟିସ୍ ଡ. ସଞ୍ଜୀବ କୁମାର ପାଣିଗ୍ରାହୀ ଏବଂ ଜଷ୍ଟିସ୍ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।
୨୦୧୧ ମେ ୯ ତାରିଖରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ଜାରି କରି ଗୋଡ଼ିପଲ୍ଲୀ ଗ୍ରାମରୁ ଚଡ଼େୟାପଲ୍ଲୀ ଗ୍ରାମକୁ ପଞ୍ଚାୟତ ମୁଖ୍ୟାଳୟ ସ୍ଥାନାନ୍ତର କରାଯାଇଥିଲା। ଏହି ନିଷ୍ପତ୍ତିକୁ ନେଇ ୨୦୦୧ରୁ ଆଇନଗତ ବିବାଦ ଚାଲିଆସୁଛି। କୋର୍ଟ ଉଲ୍ଲେଖ କରିଛନ୍ତି ଯେ ମୁଖ୍ୟାଳୟ ସ୍ଥାନାନ୍ତର ପୂର୍ବରୁ ଗୋଡ଼ିପଲ୍ଲୀରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା ଏବଂ ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଥିଲା।
ହାଇକୋର୍ଟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବଙ୍କୁ ନଭେମ୍ବର ୨୬ ତାରିଖରେ ବ୍ୟକ୍ତିଗତ ଭାବେ କିମ୍ବା ଭର୍ଚୁଆଲ୍ ମାଧ୍ୟମରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ସହିତ ଗ୍ରାମ ପଞ୍ଚାୟତ ଆଇନ, ୧୯୬୪ର ଧାରା ୪(୩) ଅନୁସାରେ ପଞ୍ଚାୟତ ମୁଖ୍ୟାଳୟ ସ୍ଥିର କିମ୍ବା ସ୍ଥାନାନ୍ତର କରିବା ପାଇଁ ବର୍ତ୍ତମାନ କୌଣସି ନୀତି, ନିୟମାବଳୀ, ସରକାରୀ ସଂକଳ୍ପ କିମ୍ବା ପ୍ରଶାସନିକ ନିର୍ଦ୍ଦେଶ ରହିଛି କି ନାହିଁ, ସେନେଇ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି।
ଯଦି ଏଭଳି କୌଣସି ନିୟମାବଳୀ ନାହିଁ, ତେବେ ଏହାର କାରଣ କ’ଣ ଏବଂ ସରକାର ନୂଆ ନିୟମ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି କି ନାହିଁ, ସେନେଇ ସ୍ପଷ୍ଟ କରିବାକୁ ଖଣ୍ଡପୀଠ କହିଛନ୍ତି। ଏଥିସହ ମୁଖ୍ୟାଳୟ ସ୍ଥାନାନ୍ତର ପୂର୍ବରୁ ବିଭାଗ କେଉଁ ପ୍ରକ୍ରିୟା ଅନୁସରଣ କରୁଛି, ତାହା ମଧ୍ୟ ଜଣାଇବାକୁ ହେବ।
ହାଇକୋର୍ଟ କହିଛନ୍ତି ଯେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଧାରା ୪(୩) ଅନୁସାରେ ରାଜ୍ୟ ସରକାରଙ୍କର ପଞ୍ଚାୟତ ମୁଖ୍ୟାଳୟ ସ୍ଥିର କିମ୍ବା ପରିବର୍ତ୍ତନ କରିବାର କ୍ଷମତା ରହିଛି। କିନ୍ତୁ ଏହାର ଅର୍ଥ ସରକାର ଯେକୌଣସି ଭଳି ନିଷ୍ପତ୍ତି ନେଇପାରିବେ ନୁହେଁ। ଏଭଳି ନିଷ୍ପତ୍ତି ଜନସ୍ୱାର୍ଥ ଓ ଉପଯୁକ୍ତ କାରଣ ଆଧାରରେ ହେବା ଆବଶ୍ୟକ।
ପଞ୍ଚାୟତ ମୁଖ୍ୟାଳୟ ସ୍ଥାନ ନିର୍ଦ୍ଧାରଣ ବେଳେ ଭୌଗୋଳିକ ଅବସ୍ଥିତି, ଭିତ୍ତିଭୂମିର ଉପଲବ୍ଧତା ଓ ସାଧାରଣ ଲୋକଙ୍କ ସୁବିଧାକୁ ଗୁରୁତ୍ୱ ଦେବା ଦରକାର। ପ୍ରତ୍ୟେକ ପଞ୍ଚାୟତର ପରିସ୍ଥିତି ଅଲଗା ହୋଇଥିବାରୁ ସମସ୍ତଙ୍କ ପାଇଁ ଗୋଟିଏ କଠୋର ନିୟମ ଲାଗୁ କରିବା ମଧ୍ୟ ବ୍ୟବହାରିକ ହୋଇନପାରେ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି।
ତେବେ ସ୍ପଷ୍ଟ ପ୍ରଶାସନିକ ମାନଦଣ୍ଡ ରହିଲେ ରାଜନୈତିକ ପରିସ୍ଥିତି କିମ୍ବା ଅନ୍ୟାନ୍ୟ ଅପ୍ରାସଙ୍ଗିକ କାରଣରୁ ପଞ୍ଚାୟତ ମୁଖ୍ୟାଳୟ ବାରମ୍ବାର ପରିବର୍ତ୍ତନ ହେବା ଭଳି ସମସ୍ୟାକୁ ରୋକାଯାଇପାରିବ।
ଏହି ଶୁଣାଣି ସମୟରେ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ନିୟମାବଳୀର ଆବଶ୍ୟକତା ଉପରେ ଏହି ମତ ଦିଆଯାଇଛି। ୨୦୧୧ର ସରକାରୀ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଅପିଲ୍ର ମୂଳ ଯୋଗ୍ୟତା ବା ମେରିଟ୍ ଉପରେ କୋର୍ଟ ଏପର୍ଯ୍ୟନ୍ତ କୌଣସି ମତ ଦେଇନାହାନ୍ତି।
ଆସନ୍ତା ନଭେମ୍ବର ୨୬ ତାରିଖ ଅପରାହ୍ନ ୨ଟାରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେହିଦିନ ବିଭାଗୀୟ ସଚିବଙ୍କ ଉପସ୍ଥିତି ଓ ସତ୍ୟପାଠ ଉପରେ ସମସ୍ତଙ୍କ ନଜର ରହିବ।
ପୁଣି ଆଇସିସି ଅଧ୍ୟକ୍ଷ ହେଲେ ଜୟ ଶାହ ବିଶ୍ୱ କ୍ରିକେଟ୍ର...
ପାକିସ୍ତାନ ବିପକ୍ଷରେ ଆର୍ଯ୍ୟବୀରଙ୍କ ଲଢ଼ୁଆ ଅର୍ଦ୍ଧଶତକ...
ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ କେବଳ ଫୁସ୍‌ଫୁସ୍‌...
ପ୍ରତ୍ୟେକ ରୋଗୀଙ୍କ ପାଇଁ ଅଲଗା କ୍ୟାନସର ଟିକା! ନୂଆଦିଲ...
ସ୍ୟାଣ୍ଡପେପର୍ ବିବାଦରେ ପୁଣି ହଲଚଲ, କମିନ୍ସଙ୍କ ଦାବି ଉପର...
ଚର୍ମକୁ ଗୋରା ଓ ସୁନ୍ଦର କରିବାର ଦାବି କରୁଥିବା କିଛି ବ୍ୟୁ...
ନୂଆଦିଲ୍ଲୀ: କ୍ଷୀର, ଦହି ଓ ପନିର୍‌ କିଣୁଥିବା ଗ୍ରାହ...
ନୂଆଦିଲ୍ଲୀ: ଭାରତରେ ପୁଣି ଜମିବ ଅନ୍ତର୍ଜାତୀୟ କ୍ରିକେଟ୍ର...