ଭୁବନେଶ୍ୱର ୟୁନିଟ୍-୨ରେ ସୋମବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୨୦ତମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନଲାଇନ୍ରେ ପଞ୍ଜୀକରଣ କରିଥିବା ପ୍ରାୟ ୧୦୦୦ ଅଭିଯୋଗକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିଥିଲେ।
କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, କୃଷ୍ଣଚନ୍ଦ୍ର ମହାପାତ୍ର, ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସେଲ୍ର ବ୍ୟବସ୍ଥା କରାଯାଇଥିଲା। ଏଠାରେ ମୁଖ୍ୟମନ୍ତ୍ରୀ ଦିବ୍ୟାଙ୍ଗ ଅଭିଯୋଗକାରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।
ଜନଶୁଣାଣିରେ ବହୁ ଲୋକ ଆର୍ଥିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ଥିବା ସନ୍ତୋଷ ବିଶ୍ୱାଳ ନିଜ ଦିବ୍ୟାଙ୍ଗ ପ୍ରମାଣପତ୍ର ସମ୍ପର୍କିତ ସମସ୍ୟା ଯୋଗୁଁ ଆର୍ଥିକ ସହାୟତା ପାଇପାରୁନଥିବା କହି ସହାୟତା ମାଗିଥିଲେ।
ସେହିପରି ସଞ୍ଜୁକ୍ତା ପରିଡ଼ା ଉଭୟ କିଡନୀ ନଷ୍ଟ ହୋଇଥିବାରୁ ଚିକିତ୍ସା ଓ ଔଷଧ ପାଇଁ ଆର୍ଥିକ ସହାୟତା ନିବେଦନ କରିଥିଲେ। ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଔଷଧ ଓ ଘରଭଡ଼ା ଖର୍ଚ୍ଚ ତୁଲାଇବାରେ ସମସ୍ୟା ହେଉଥିବା ସେ କହିଥିଲେ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଲୋକଙ୍କ ସମସ୍ୟା ଶୁଣିବା ହେଉଛି ସରକାର ଓ ଜନପ୍ରତିନିଧିଙ୍କ ଦାୟିତ୍ୱ। ଅସୁସ୍ଥ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ତୁରନ୍ତ ସହାୟତା ଦେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଜନଶୁଣାଣିରେ ୬୦୦ରୁ ଅଧିକ ମାମଲା ଗ୍ରହଣ କରାଯାଇଛି। ଅଭିଯୋଗକାରୀଙ୍କ ସହ ଆଲୋଚନା କରି କିଛି ସମସ୍ୟାର ତୁରନ୍ତ ସମାଧାନ କରାଯାଇଛି।
ପୂର୍ବରୁ ହୋଇଥିବା ୧୯ଟି ଜନଶୁଣାଣିରେ ଉଠିଥିବା ସମସ୍ୟା ମଧ୍ୟରୁ ପ୍ରାୟ ୯୫ ପ୍ରତିଶତର ସମାଧାନ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ୱ ଦେଇ ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାସହ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଜିଲ୍ଲାପାଳ ପ୍ରତି ସୋମବାର ବିଭିନ୍ନ ବ୍ଲକରେ ପାଳିକ୍ରମେ ଜନଶୁଣାଣି କରୁଛନ୍ତି। ଅସୁସ୍ଥ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସିଙ୍ଗଲ୍-ୱିଣ୍ଡୋ ବ୍ୟବସ୍ଥାରେ ମେଡିକାଲ୍ ଟିମ୍ ଦ୍ୱାରା ପ୍ରମାଣପତ୍ର ପ୍ରଦାନ ସହ ଆବଶ୍ୟକ ଚିକିତ୍ସା ସହାୟତା ଓ ଉପକରଣ ଯୋଗାଇ ଦିଆଯାଉଛି।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ୧୬ ଜଣ ଗୁରୁତର ଅସୁସ୍ଥ ରୋଗୀଙ୍କୁ ୧୪ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ଯୋଗାଇ ଦିଆଯିବ।
ନୂଆଦିଲ୍ଲୀରେ ରବିବାର ଫ୍ରାନ୍ସ ବ୍ୟାଡମିଣ୍ଟନ୍‌ ଇତିହ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
କଲମ୍ବୋର ସିଂହଳୀଜ୍ ସ୍ପୋର୍ଟ୍ସ କ୍ଲବ୍‌ରେ ଭାରତ ଓ ଶ୍...
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍‌ରେ ରବ...
ପାକିସ୍ତାନର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ପୂର୍ବତନ ପ୍...