ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୮ ତାରିଖରୁ ଆରମ୍ଭ ହେବ ଓଡ଼ିଶାର ୧୭ତମ ବିଧାନସଭାର ଶୀତ ଅଧିବେଶନ। ଅଧିବେଶନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ସୁରକ୍ଷାଜନିତ ସମସ୍ୟା ନଘଟେ, ସେଥିପାଇଁ ବିଧାନସଭା ପରିସରରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି।
ବିଧାନସଭାକୁ ତିନି ସ୍ତରର ସୁରକ୍ଷା ବଳୟ ମଧ୍ୟରେ ରଖାଯିବ। ଏଥିପାଇଁ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ। ଏହା ବ୍ୟତୀତ ଆବଶ୍ୟକ ସମୟରେ ମୁତୟନ ପାଇଁ ଆଉ ୫ ପ୍ଲାଟୁନ୍ ପୋଲିସ ରିଜର୍ଭ ରଖାଯାଇଛି।
ମଙ୍ଗଳବାର ଡିଜିପି ବିନୟତୋଷ ମିଶ୍ର ବିଧାନସଭା ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ସୁରକ୍ଷାକର୍ମୀଙ୍କ ମୁତୟନ ସ୍ଥାନ ଓ ଅଧିବେଶନ ସମୟରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ସେଥିପାଇଁ ନିଆଯାଇଥିବା ପଦକ୍ଷେପର ସେ ସମୀକ୍ଷା କରିଥିଲେ।
ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ ମଧ୍ୟ ଡିଜିପିଙ୍କୁ ସୁରକ୍ଷା ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ। ସୁରକ୍ଷା ଦାୟିତ୍ୱ ପାଇଁ ଦୁଇଜଣ ଡିସିପି ଓ ଛଅଜଣ ଅତିରିକ୍ତ ଏସ୍ପିଙ୍କୁ ନିୟୋଜିତ କରାଯାଇଛି।
ବିଧାନସଭା ପରିସରରେ ତିନିଟି ସ୍ତରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ପ୍ରଥମ ସ୍ତର: ବିଧାନସଭା ଭବନର ସୁରକ୍ଷା ଜଣେ ଏସ୍ପି ପାହ୍ୟାର ଅଧିକାରୀଙ୍କ ତତ୍ତ୍ୱାବଧାନରେ ରହିବ।
ଦ୍ୱିତୀୟ ସ୍ତର: ବିଧାନସଭା ଭବନ ଓ ପ୍ରବେଶ ଫାଟକ ମଧ୍ୟବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକର୍ମୀ ମୁତୟନ ହେବେ।
ତୃତୀୟ ସ୍ତର: ବିଧାନସଭାର ବାହାର ପରିସରରେ ବ୍ୟାରିକେଡ୍ ଓ ପୋଲିସ ମୁତୟନ ରହିବ। ହଠାତ୍ ଶୋଭାଯାତ୍ରା, ବଳପୂର୍ବକ ପ୍ରବେଶ କିମ୍ବା ଅନ୍ୟାନ୍ୟ ଅପ୍ରୀତିକର ଘଟଣାକୁ ରୋକିବା ଏହାର ଉଦ୍ଦେଶ୍ୟ।
ଏହା ସହ ଆଖପାଖର କୋଠାଗୁଡ଼ିକର ଛାତ ଉପରେ ମଧ୍ୟ ପୋଲିସ କର୍ମଚାରୀ ଓ ସ୍ପଟର୍ ମୁତୟନ ହେବେ।
ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଦଳ ସହ ଡଗ୍ ସ୍କ୍ୱାଡ୍କୁ ସକ୍ରିୟ ରଖାଯିବ। ଏହା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ତିନିଟି ସିଫ୍ଟରେ କାର୍ଯ୍ୟ କରିବ। ସମଗ୍ର ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ସମୟରେ ତୁରନ୍ତ ପଦକ୍ଷେପ ନିଆଯିବ।
ଅଧିବେଶନ ସମୟରେ ବଳପୂର୍ବକ ପ୍ରବେଶ କିମ୍ବା ଆତ୍ମାହୁତି ଉଦ୍ୟମ ଭଳି ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ମଧ୍ୟ ପୋଲିସ ପ୍ରସ୍ତୁତ ରହିବ।
ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଡିଜିପି କହିଛନ୍ତି ଯେ, ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ବିପଦ ସୂଚନା ନାହିଁ। ତଥାପି ଅଧିବେଶନ ସମୟରେ ବିକ୍ଷୋଭ କିମ୍ବା ଅନ୍ୟାନ୍ୟ ଘଟଣା ଘଟିଲେ ତାହାର ମୁକାବିଲା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି। ଆବଶ୍ୟକ ପଡ଼ିଲେ ଅତିରିକ୍ତ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇପାରିବ ବୋଲି ସେ କହିଛନ୍ତି।
ଅନ୍ୟପଟେ ଶୀତ ଅଧିବେଶନକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସର୍ବଦଳୀୟ ବୈଠକ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ବିରୋଧୀ ଦଳର ମୁଖ୍ୟ ସଚେତକ ଓ କଂଗ୍ରେସ ବିଧାୟକ ଦଳର ନେତା ଯୋଗ ଦେଇଥିଲେ।
ବାଚସ୍ପତି ଶାସକ ଓ ବିରୋଧୀ ଦଳର ସହଯୋଗ ଲୋଡ଼ିଥିଲେ, ଯାହାଦ୍ୱାରା ବିଧାନସଭାର କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଚାଲିପାରିବ। ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ କାର୍ଯ୍ୟସୂଚୀ ରହିଛି।
ମୁମ୍ବାଇ: ବିଶ୍ୱ ସିନେମା ବଜାରରେ ଭାରତୀୟ ଫିଲ୍ମ ‘ର...
ବେଙ୍ଗାଲୁରୁ: ସନ୍ତାନ ନଥିବା କଥାକୁ ନେଇ ବାରମ୍ବାର ଅପମାନ...
କେଶ ଓ ତ୍ୱଚା ପାଇଁ ବିପଦ ସାଜୁଛି ବାୟୁ ପ୍ରଦୂଷଣ ନୂଆଦି...
କ୍ରିକେଟ୍‌ ଜଗତରେ ଶୋକର ଛାୟା, ୧୭ ବର୍ଷୀୟା ଖେଳାଳିଙ...
ନୂଆଦିଲ୍ଲୀ: କ୍ଷୀର, ଦହି ଓ ପନିର୍‌ କିଣୁଥିବା ଗ୍ରାହ...
ମୁମ୍ବାଇ: ବକ୍ସ ଅଫିସ୍‌ରେ ରେକର୍ଡ ପରେ ରେକର୍ଡ କରୁଥ...
ଥାଇଲ୍ୟାଣ୍ଡ: ପର୍ଯ୍ୟଟନସ୍ଥଳୀ ଫୁକେଟ୍ରେ ଭୟଙ୍କର ଅଗ୍ନିକାଣ...
ମୁମ୍ବାଇ: ଭାରତୀୟ ସିନେମାର ଅନ୍ୟତମ ଚର୍ଚ୍ଚିତ ନିର୍ଦ୍ଦେଶକ...