ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲାରେ ଆଇଫୋନ୍ କିଣିବାକୁ ନେଇ ହୋଇଥିବା ପାରିବାରିକ ବିବାଦ ଏକ ଦୁଃଖଦ ଘଟଣାର ରୂପ ନେଇଛି। ପୁଲିସର ସୂଚନା ଅନୁସାରେ, ୧୮ ବର୍ଷୀୟ କୁନାଲ ଚାନ୍ଦଗୁଡ଼େ ଜୀବନ ଦେବାକୁ ଉଦ୍ୟମ କରିବା ପରେ ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ବାପା ଓ ମା’ଙ୍କ ସହ ତିନିଜଣଙ୍କ ମୃତ୍ୟୁ ହୋଇଛି।
ଘଟଣାଟି ତିସଗାଓଁ ଅଞ୍ଚଳର ଖାଭଡ୍ୟା ହିଲ୍ସରେ ଘଟିଥିବା ବେଳେ ଏହା ୱାଲୁଜ୍ MIDC ପୁଲିସ ଥାନା ଅଧୀନରେ ଆସୁଛି। ମୃତକମାନେ ହେଲେ କୁନାଲ ଚାନ୍ଦଗୁଡ଼େ (୧୮), ତାଙ୍କ ବାପା ମୁରଲୀଧର ଚାନ୍ଦଗୁଡ଼େ (୪୮) ଏବଂ ମା’ ସଙ୍ଗୀତା ଚାନ୍ଦଗୁଡ଼େ।
ପୁଲିସ ଅନୁସାରେ, କୁନାଲ ଏକ ନୂଆ ଆଇଫୋନ୍ କିଣିବାକୁ ଚାହୁଁଥିଲେ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ତାଙ୍କ ବାପା ଡ୍ରାଇଭର ଭାବେ କାମ କରୁଥିଲେ ଏବଂ ସେ ହିଁ ପରିବାରର ଏକମାତ୍ର ରୋଜଗାରକାରୀ ଥିଲେ। ବାପା ଆଇଫୋନ୍ କିଣିଦେବାକୁ ମନା କରିବା ପରେ କୁନାଲ ଅସନ୍ତୁଷ୍ଟ ହୋଇ ପାହାଡ଼ ଉପରକୁ ଚାଲିଯାଇଥିବା ପୁଲିସ କହିଛି।
ଘଟଣା ସମ୍ପର୍କରେ ଜାଣିବା ପରେ କୁନାଲଙ୍କ ବାପା-ମା’ ତାଙ୍କ ପଛେ ପଛେ ପାହାଡ଼ ଉପରକୁ ଯାଇ ତାଙ୍କୁ ଘରକୁ ଫେରିଆସିବା ପାଇଁ ବୁଝାଇଥିଲେ। ପରେ ଗାଁ ଲୋକ, ପୁଲିସ ଓ ଅଗ୍ନିଶମ ବାହିନୀ ମଧ୍ୟ ସେଠାରେ ପହଞ୍ଚିଥିଲେ।
ପ୍ରାୟ ତିନି ଘଣ୍ଟା ଧରି ତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ ଚାଲିଥିଲା। ଅଗ୍ନିଶମ କର୍ମଚାରୀମାନେ ପାହାଡ଼ ତଳେ ସୁରକ୍ଷା ଜାଲ ବିଛାଇବାକୁ ଚେଷ୍ଟା କରିଥିଲେ। ତେବେ କୁନାଲ ପାହାଡ଼ର ଧାର ନିକଟରେ ବାରମ୍ବାର ସ୍ଥାନ ବଦଳାଉଥିବାରୁ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇଥିଲା।
ଦିନ ପ୍ରାୟ ୧ଟା ବେଳେ ବାପା ମୁରଲୀଧର ପୁଅଙ୍କ ନିକଟକୁ ଯାଇ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ପୁଲିସ ଅନୁସାରେ, ସେହି ସମୟରେ କୁନାଲ ପାହାଡ଼ରୁ ତଳକୁ ଡେଇଁ ପଡ଼ିଥିଲେ। ପୁଅକୁ ଧରିବାକୁ ଚେଷ୍ଟା କରିବା ସମୟରେ ମୁରଲୀଧରଙ୍କ ମଧ୍ୟ ସନ୍ତୁଳନ ହରାଇ ତଳକୁ ଖସିପଡ଼ିଥିଲେ।
ଏହା ଦେଖି ମା’ ସଙ୍ଗୀତା ମଧ୍ୟ ମାନସିକ ଭାବେ ଭାଙ୍ଗିପଡ଼ିଥିଲେ ଏବଂ କିଛି ସମୟ ପରେ ପାହାଡ଼ରୁ ଡେଇଁ ପଡ଼ିଥିବା ପୁଲିସ କହିଛି। ତିନିଜଣଙ୍କ ମୃତ୍ୟୁ ପ୍ରାୟ କିଛି ମିନିଟ୍ ମଧ୍ୟରେ ହୋଇଥିଲା।
ପୁଲିସ ତିନିଜଣଙ୍କ ମୃତଦେହ ଉଦ୍ଧାର କରି ଆବଶ୍ୟକ ଆଇନଗତ ପ୍ରକ୍ରିୟା ପାଇଁ ପଠାଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଓଡ଼ିଶା ଏବେ...
କାଠଯୋଡ଼ି ନଦୀପଠାରେ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ...
ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା ‘ମୁରାସୁ’ ଆନ...
କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘା...
ବାତ୍ୟା ‘ମୁରାସୁ’ ପ୍ରଭାବରେ ବଢ଼ିବ ବର୍ଷା...
ରାଜଧାନୀରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଗମ୍ଭୀର...
ଦୀପାବଳି ପୂର୍ବରୁ ଭାରତୀୟ ସେୟାର ବଜାରରେ ଖୁସିର ମାହୋଲ୍।...
ଅସ୍ଥିର କାରବାର ପରେ ଲାଭରେ ବନ୍ଦ ହେଲା ବଜାର ବୁଧବାର ଭ...