କେରଳର ଆଲପ୍ପୁଝାରେ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ହତ୍ୟା ଘଟଣାର ତଦନ୍ତ ବେଳେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ମୃତକ ସିଭାନକୁଟ୍ଟି ଚେଟ୍ଟିୟାର ଘରେ ଏକା ଥିବା ସମୟରେ ତାଙ୍କୁ ହାତ ଓ ଗୋଡ଼ ବାନ୍ଧି ଦିଆଯିବା ସହ ଗଳାରେ କପଡ଼ା ଜୋରରେ ବାନ୍ଧି ହତ୍ୟା କରାଯାଇଥିଲା। ଘରୁ ସୁନା ଅଳଙ୍କାର ନିଖୋଜ ହୋଇଥିବାରୁ ପ୍ରଥମେ ଏହା ଲୁଟ୍ପାଟ୍ ସମୟରେ ଘଟିଥିବା ହତ୍ୟା ବୋଲି ପୁଲିସ ଅନୁମାନ କରିଥିଲା।
ତଦନ୍ତ ସମୟରେ ମୃତକଙ୍କ ନିକଟ ସମ୍ପର୍କୀୟ ୧୩ ବର୍ଷୀୟା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ବୟାନରେ ବାରମ୍ବାର ଅସଙ୍ଗତି ମିଳିବା ପରେ ପୁଲିସର ସନ୍ଦେହ ବଢ଼ିଥିଲା। ଜେରା ପରେ ଘଟଣା ପଛରେ ଥିବା ଷଡ଼ଯନ୍ତ୍ର ସାମ୍ନାକୁ ଆସିଥିବା ପୁଲିସ କହିଛି।
ପୁଲିସ ଅନୁସାରେ, ନାବାଳିକା ତାଙ୍କ ୧୭ ବର୍ଷୀୟ ପ୍ରେମିକ ଏବଂ ତାଙ୍କର ଦୁଇ ସାଙ୍ଗଙ୍କ ସହ ମିଶି ଘରୁ ସୁନା ଓ ଟଙ୍କା ଲୁଟିବାକୁ ଯୋଜନା କରିଥିଲେ। ଏହି ଟଙ୍କାରେ ଆଇଫୋନ୍ ଓ ବାଇକ୍ କିଣିବା ଯୋଜନା ଥିବା ପୁଲିସ ଦାବି କରିଛି।
ଘଟଣା ଦିନ ମୃତକଙ୍କ ପତ୍ନୀ ଓ ଝିଅ ଘରେ ନଥିଲେ। ଅଭିଯୁକ୍ତମାନେ ଘର ପଛପଟର ଏକ ଛୋଟ ରାସ୍ତା ଦେଇ ଘରେ ପ୍ରବେଶ କରିଥିବା କୁହାଯାଇଛି। ସେଠାରେ ମୃତକଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ପରେ ତାଙ୍କ ହାତ ଓ ଗୋଡ଼ ବାନ୍ଧି ଦିଆଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି।
ହତ୍ୟା ପରେ ୧୭ ବର୍ଷୀୟ ନାବାଳକ ତାଙ୍କ ପ୍ରେମିକାଙ୍କୁ ଭିଡିଓ କଲ୍ କରି ମୃତଦେହ ଦେଖାଇଥିବା ତଦନ୍ତରୁ ଜଣାପଡ଼ିଛି। ଘରେ ସୁନା କେଉଁଠି ରହିଛି, ସେ ନେଇ ନାବାଳିକା ସେମାନଙ୍କୁ ଦିଗନିର୍ଦ୍ଦେଶ ଦେଇଥିବା ମଧ୍ୟ ପୁଲିସ କହିଛି।
ଘଟଣାସ୍ଥଳରେ ଅଭିଯୁକ୍ତମାନେ ଲଙ୍କାଗୁଣ୍ଡ ପକାଇଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି। ସନ୍ଧାନୀ କୁକୁର ଯେପରି ଗନ୍ଧ ଠାବ କରିପାରିବ ନାହିଁ ଏବଂ ଫୋରେନସିକ୍ ପ୍ରମାଣ ନଷ୍ଟ ହେବ, ସେଥିପାଇଁ ଏଭଳି କରାଯାଇଥିବା ପୁଲିସର ସନ୍ଦେହ।
ପୁଲିସ ଅନୁସାରେ, ପ୍ରାୟ ୪.୫ ସୋଭରେନ୍ ସୁନା ଚୋରି ହୋଇଥିଲା। ଏହାର କିଛି ଅଂଶ ପଡ଼ୋଶୀ କୋଲ୍ଲମ ଜିଲ୍ଲାରେ ୧୬ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା। ପୁଲିସ ସୁନା ଜବତ କରିଛି, ଯାହାର ମୂଲ୍ୟ ପ୍ରାୟ ୫.୬୧ ଲକ୍ଷ ଟଙ୍କା ବୋଲି କୁହାଯାଇଛି।
ଘଟଣାରେ ସମସ୍ତ ନାବାଳକ ଅଭିଯୁକ୍ତଙ୍କୁ ମଙ୍ଗଳବାର ଜେରା ପରେ ଅଟକ ରଖାଯାଇଛି। ୧୬ ଓ ୧୭ ବର୍ଷୀୟ ଦୁଇ ନାବାଳକଙ୍କୁ ଆଇନ ଅନୁସାରେ ବୟସ୍କ ଭାବେ ବିଚାର କରାଯାଇପାରିବ କି ନାହିଁ, ସେନେଇ ମଧ୍ୟ ପୁଲିସ ବିଚାର କରୁଛି।
ଅଷ୍ଟ୍ରେଲିଆରେ ଚର୍ଚ୍ଚିତ ‘ମଶରୁମ୍ ମର୍ଡର’ ମ...
ଓଡ଼ିଶାରେ ବନ୍ୟା ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ଅନ୍ୟ...
ରୁଷିଆ ସହ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ରାଜନୈତିକ ତିକ୍ତତା ବ...
ଭୁବନେଶ୍ୱର ଓ କଟକରେ ବଢ଼ୁଥିବା ଟ୍ରାଫିକ୍ ଜାମ୍ ସମସ୍ୟାର ସ...
ବଲାଙ୍ଗିର ବ୍ୟବସାୟୀ ନରେନ୍ଦ୍ର ସାହୁ ଅପହରଣ ମାମଲାରେ ଗିରଫ...
ବର୍ଷା ଦିନେ ମଶାଜନିତ ରୋଗର ଆଶଙ୍କା ବଢ଼ିଯାଏ। ବିଶେଷକରିଡେ...
ଦକ୍ଷିଣ କୋରିଆ ଓ ଆମେରିକା ମଧ୍ୟରେ ହେଉଥିବା ବାର୍ଷିକ ମିଳି...
ଆମେରିକାର ସବୁଠାରୁ ବଡ଼ ଜଳଭଣ୍ଡାର ଲେକ୍ ମିଡ୍‌ରେ ଜଳ...
ଦାରା ସିଂହଙ୍କ ଅକାଳ ମୁକ୍ତି ଆବେଦନକୁ ନେଇ ଓଡ଼ିଶା ସରକାରଙ...