ନୂଆଦିଲ୍ଲୀ: ଏସିଆରେ ଭାରତର ଶକ୍ତି ଓ ପ୍ରଭାବ ଆହୁରି ମଜବୁତ ହୋଇଛି। ଅର୍ଥନୈତିକ କ୍ଷମତାରେ କିଛି ହ୍ରାସ ସତ୍ତ୍ୱେ ଏସିଆର ଶକ୍ତିଶାଳୀ ଦେଶ ତାଲିକାରେ ଭାରତ ନିଜର ତୃତୀୟ ସ୍ଥାନ ବଜାୟ ରଖିଛି। ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ଥିଙ୍କଟ୍ୟାଙ୍କ ଲୋୱି ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରକାଶିତ ୨୦୨୬ ଏସିଆ ପାୱାର ଇଣ୍ଡେକ୍ସରେ ଏହି ତଥ୍ୟ ସାମ୍ନାକୁ ଆସିଛି।
ଏହି ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ଥିବାବେଳେ ଚୀନ୍ ଦ୍ୱିତୀୟ ଏବଂ ଭାରତ ତୃତୀୟ ସ୍ଥାନରେ ରହିଛି। ଏସିଆର ୨୭ଟି ଦେଶ ଓ ଅଞ୍ଚଳର ଶକ୍ତି, ସମ୍ବଳ ଏବଂ ଆନ୍ତର୍ଜାତୀୟ ପ୍ରଭାବକୁ ଆଧାର କରି ଏହି ଇଣ୍ଡେକ୍ସ ପ୍ରସ୍ତୁତ କରାଯାଇଛି।
୨୦୨୬ରେ ଭାରତର ମୋଟ ପାୱାର ସ୍କୋର ୪୦.୫ ପଏଣ୍ଟ ରହିଛି। ଗତବର୍ଷ ତୁଳନାରେ ଏଥିରେ ୦.୫ ପଏଣ୍ଟ ବୃଦ୍ଧି ହୋଇଛି। ତେବେ ଭାରତର ଅର୍ଥନୈତିକ କ୍ଷମତା ସ୍କୋର ୦.୭ ପଏଣ୍ଟ ହ୍ରାସ ପାଇ ୨୬.୪ରେ ପହଞ୍ଚିଛି। ଦୁର୍ବଳ ଟଙ୍କା ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପକ୍ଷରୁ ଅର୍ଥନୀତି ମାପିବାର ପଦ୍ଧତିରେ ପରିବର୍ତ୍ତନ ଯୋଗୁଁ ଭାରତର ଆପେକ୍ଷିକ ଅର୍ଥନୈତିକ ସ୍ଥିତି ପ୍ରଭାବିତ ହୋଇଛି। ଏହା ସହିତ ବିଦେଶରେ ଭାରତୀୟ ନିବେଶ ପ୍ରାୟ ୨୦ ବିଲିୟନ ଡଲାର ହ୍ରାସ ପାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ତେବେ ଭବିଷ୍ୟତ ସମ୍ବଳ (Future Resources) କ୍ଷେତ୍ରରେ ଭାରତର ପ୍ରଦର୍ଶନ ଉତ୍ସାହଜନକ ରହିଛି। ଏହି କ୍ଷେତ୍ରରେ ଭାରତର ସ୍କୋର ୫୬.୨ ପଏଣ୍ଟକୁ ବୃଦ୍ଧି ପାଇଛି। ଉନ୍ନତ ଅର୍ଥନୈତିକ ପୂର୍ବାନୁମାନ ଏବଂ ଭବିଷ୍ୟତରେ ଉପଲବ୍ଧ ହେବାକୁ ଥିବା ସମ୍ବଳ ଏହି ସଫଳତାର ମୁଖ୍ୟ କାରଣ।
କୂଟନୈତିକ ପ୍ରଭାବ (Diplomatic Influence) ଭାରତର ସବୁଠାରୁ ଶକ୍ତିଶାଳୀ କ୍ଷେତ୍ର ଭାବେ ରହିଛି। ଏହି କ୍ଷେତ୍ରରେ ଭାରତର ସ୍କୋର ୭୦.୩ ପଏଣ୍ଟ ରହିଛି। ରିପୋର୍ଟ ଅନୁସାରେ, ଅଧିକାଂଶ ଦେଶର କୂଟନୈତିକ ପ୍ରଭାବ ହ୍ରାସ ପାଇଥିବା ବେଳେ ଭାରତ ନିଜ ସ୍ଥିତିକୁ ପ୍ରାୟ ସ୍ଥିର ରଖିପାରିଛି।
ଏହା ସହିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଞ୍ଚଳିକ ନେତୃତ୍ୱ କ୍ଷମତାକୁ ନେଇ ବିଶେଷଜ୍ଞଙ୍କ ମତାମତରେ ଉନ୍ନତି ହୋଇଛି। ଏହି ମୂଲ୍ୟାଙ୍କନ ଅନୁସାରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପରେ ମୋଦୀ ଏସିଆର ଦ୍ୱିତୀୟ ପ୍ରଭାବଶାଳୀ ଆଞ୍ଚଳିକ ନେତା ଭାବେ ବିବେଚିତ ହୋଇଛନ୍ତି।
ଅନ୍ୟପଟେ ସାଂସ୍କୃତିକ ପ୍ରଭାବ, ସାମରିକ କ୍ଷମତା ଓ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ମଧ୍ୟ ଭାରତ କିଛିଟା ଉନ୍ନତି କରିଛି। ତେବେ ପ୍ରତିରକ୍ଷା ସହଯୋଗ ନେଟୱର୍କ ଏବଂ ଅର୍ଥନୈତିକ ସମ୍ପର୍କ କ୍ଷେତ୍ରରେ ଆହୁରି ଉନ୍ନତିର ଆବଶ୍ୟକତା ରହିଛି।
ଲୋୱି ଇନଷ୍ଟିଚ୍ୟୁଟ୍ର ଏହି ରିପୋର୍ଟ ଅନୁସାରେ, ଏସିଆରେ ଭାରତର ପ୍ରଭାବ ବୃଦ୍ଧି ପାଉଛି। ତେବେ ଆମେରିକା ଓ ଚୀନ୍ର ଶକ୍ତି ସହ ତୁଳନା କଲେ ଭାରତ ଆଗରେ ଏବେ ବି ଅନେକ ଆହ୍ୱାନ ରହିଛି। ଏସିଆରେ ନିଜର ସମ୍ବଳକୁ ପ୍ରକୃତ ରାଜନୈତିକ ଓ ରଣନୈତିକ ପ୍ରଭାବରେ ପରିଣତ କରିବା ଭାରତ ପାଇଁ ଆଗାମୀ ଦିନର ବଡ଼ ଲକ୍ଷ୍ୟ ହେବ।
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଓ ବିମାନ ଚଳାଚଳରେ ସମସ୍ୟା ମଧ୍...
ନାଗରକୋଏଲ:ତାମିଲନାଡୁର ନାଗରକୋଏଲ ରେଳ ଷ୍ଟେସନରେ ଏକ ଅତ୍ୟନ...
ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ନିଜର ଲେଗ୍ ସ୍ପିନ୍ ବୋଲିଂ...
ନୟାଗଡ଼:ଗାଁ ମୁଣ୍ଡ ନାଳରୁ ମିଳିଲା ଯୁବକଙ୍କ ମୃତଦେହ। ଏହି...
ମଙ୍ଗଳସୂତ୍ର ବନ୍ଧକ ରଖି ୪୫ ହଜାର ଟଙ୍କା ଯୋଗାଡ଼! ପ୍ରେମିକ...
ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ପୁଣି ତେଜିଲା ବିଜେପି-ବିଜ...
ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଟୋଲ୍ ଟିକସ ଫାଙ୍କିବା ପାଇଁ ଗ...
ଢେଙ୍କାନାଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।...