ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାର ଆଡେଣିଗଡ଼ ନିକଟ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପର ୪ ନମ୍ବର ସୁଡ଼ଙ୍ଗରେ ପାଣି ପଶିଯିବାରୁ ଫସି ରହିଥିବା ୪ ଜଣ ଶ୍ରମିକଙ୍କୁ ପ୍ରାୟ ୧୨ ଘଣ୍ଟା ପରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଶନିବାର ରାତିରେ ଲଗାତାର ବର୍ଷା ହେବାରୁ ପାହାଡ଼ିଆ ଅଞ୍ଚଳରୁ ପ୍ରବଳ ବେଗରେ ବର୍ଷା ପାଣି ସୁଡ଼ଙ୍ଗ ଭିତରକୁ ପଶିଯାଇଥିଲା। ଏହାଫଳରେ ସୁଡ଼ଙ୍ଗ ଭିତରେ କାମ କରୁଥିବା ୪ ଜଣ ଶ୍ରମିକ ଫସି ଯାଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକ ଓ ନିର୍ମାଣକାରୀ ସଂସ୍ଥାର କର୍ମଚାରୀମାନେ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଦୀର୍ଘ ସମୟର ଉଦ୍ୟମ ପରେ ରବିବାର ସକାଳେ ସମସ୍ତ ୪ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ସୂଚନା ମିଳିଛି।
ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା ରାଜେନ୍ଦ୍ର ଶତପଥୀ କହିଛନ୍ତି, ଶନିବାର ରାତି ପ୍ରାୟ ୯ଟା ସମୟରେ ୪ ଜଣ ଶ୍ରମିକ ସୁଡ଼ଙ୍ଗ ଭିତରେ ଥିବାବେଳେ ହଠାତ୍ ବନ୍ୟା ପାଣି ପଶି ଆସିଥିଲା। ରବିବାର ସକାଳେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ତେବେ ଏକ ଜେସିବି ମେସିନ୍ ପାଣିରେ ବୁଡ଼ିଯାଇଥିବା ସହ ପ୍ରବଳ ସ୍ରୋତରେ ବ୍ୟାପକ କ୍ଷତି ହୋଇଛି। ସୁରକ୍ଷା ବ୍ୟବସ୍ଥାର ଅଭାବ ଥିବାରୁ ଶ୍ରମିକ ଓ ସ୍ଥାନୀୟ ଲୋକଙ୍କ ଜୀବନ ବିପଦରେ ପଡ଼ୁଥିବା ସେ ଅଭିଯୋଗ କରିଛନ୍ତି।
ଏହି ଘଟଣା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଉପରେ ଲଗାଣ ବର୍ଷାର ପ୍ରଭାବକୁ ସାମ୍ନାକୁ ଆଣିଛି। ବିଶେଷକରି ୪ ନମ୍ବର ସୁଡ଼ଙ୍ଗରେ ପାହାଡ଼ିଆ ଅଞ୍ଚଳରୁ ପାଣି ପଶିବାରୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
ପ୍ରକଳ୍ପ କର୍ତ୍ତୃପକ୍ଷ କ୍ଷୟକ୍ଷତିର ଆକଳନ କରିବା ସହ ପାଣି ନିଷ୍କାସନ ପରେ ପରିସ୍ଥିତି ସ୍ୱାଭାବିକ ହେଲେ ପୁନର୍ବାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ବର୍ଷା ଜାରି ଥିବାରୁ ଉଦ୍ଧାରକାରୀ ଦଳ ଓ ପ୍ରକଳ୍ପ କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ନଜର ରଖିଛନ୍ତି।
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...
ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...