ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ କେତେବେଳେ କେଉଁ ସମୀକରଣ ବଦଳିଯିବ, ତାହା କହିବା କଷ୍ଟକର। ଏବେ ତାମିଲନାଡୁର ରାଜନୀତିକୁ ନେଇ ଏଭଳି ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ସଂସଦରେ ବିଜେପି ସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ବିଲ୍କୁ DMK ସମର୍ଥନ କରିବାର ସମ୍ଭାବନା ରହିଛି। ଯଦିଓ ଏହି ସମର୍ଥନ ତୁରନ୍ତ ଦଳକୁ NDA ମେଣ୍ଟରେ ସାମିଲ କରିବ ନାହିଁ, ତଥାପି ଭବିଷ୍ୟତରେ ଦୁଇ ଦଳ ମଧ୍ୟରେ ରାଜନୈତିକ ବୁଝାମଣା ପାଇଁ ରାସ୍ତା ଖୋଲିପାରେ।
ଏକାଧିକ ଥର ସାଂସଦ ହୋଇଥିବା DMKର ଜଣେ ନେତାଙ୍କ ମତ ଅନୁଯାୟୀ, ରାଜନୀତିରେ କିଛି ବି ଅସମ୍ଭବ ନୁହେଁ। ୧୯୯୮ରେ ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାକୁ ନେଇ କଂଗ୍ରେସ ଓ DMK ମଧ୍ୟରେ ତିକ୍ତତା ରହିଥିଲା। ହେଲେ ୨୦୦୪ରେ ଦୁଇ ଦଳ ପୁଣି ଏକାଠି ହୋଇଥିଲେ। ତେଣୁ ଆଗାମୀ ଦିନରେ ବିଜେପି ଓ DMK ମଧ୍ୟରେ ମଧ୍ୟ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେବା ଅସମ୍ଭବ ନୁହେଁ।
ବିଜେପି ସରକାର ସୀମା ନିର୍ଦ୍ଧାରଣ ବିଲ୍ରେ କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ରଖିଛନ୍ତି। ଏଥିରେ ପ୍ରତ୍ୟେକ ରାଜ୍ୟର ଲୋକସଭା ଆସନ ଅଂଶୀଦାରିତା ପୂର୍ବଭଳି ରହିବ ବୋଲି ସ୍ପଷ୍ଟ କରାଯାଇଛି। ଏହାସହ ୨୦୫୧ ପର୍ଯ୍ୟନ୍ତ ଲୋକସଭାର ସର୍ବାଧିକ ଆସନ ସଂଖ୍ୟାକୁ ସ୍ଥିର ରଖିବାର ପ୍ରସ୍ତାବ ରହିଛି। DMKକୁ ଆଶ୍ୱସ୍ତ କରିବା ଲାଗି ଏହି ବ୍ୟବସ୍ଥାଗୁଡ଼ିକୁ ଗୁରୁତ୍ୱ ଦିଆଯାଇଥିବା କୁହାଯାଉଛି।
ଅନ୍ୟପଟେ, ବିଜେପି ସରକାରଙ୍କ ଦୁଇଟି ପ୍ରସ୍ତାବିତ ବିଲ୍କୁ ନେଇ ମଧ୍ୟ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ପ୍ରଥମଟି ହେଉଛି ଉଚ୍ଚଶିକ୍ଷା କ୍ଷେତ୍ରରେ ଏକାଧିକ ନିୟାମକ ସଂସ୍ଥା ବଦଳରେ ଗୋଟିଏ ସର୍ବୋଚ୍ଚ ନିୟାମକ ସଂସ୍ଥା ଗଠନ ପାଇଁ ପ୍ରସ୍ତାବ ଥିବା ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍। ଦ୍ୱିତୀୟଟି ହେଉଛି, ଅପରାଧିକ ମାମଲାରେ ଲଗାତାର ୩୦ ଦିନ ହେପାଜତରେ ରହିଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ପଦ ଆପେଆପେ ହଟିଯିବା ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍। ଏହି ଦୁଇଟି ବିଲ୍ର କାର୍ଯ୍ୟକାରିତା ଓ ସଂସଦୀୟ କମିଟିର ରିପୋର୍ଟ ପ୍ରସ୍ତୁତି ପ୍ରକ୍ରିୟା ହଠାତ୍ ଧୀର ହୋଇଥିବା ଦେଖାଯାଇଛି।
DMK ଦୀର୍ଘଦିନ ଧରି ରାଜ୍ୟର ସ୍ୱାୟତ୍ତତାକୁ ସମର୍ଥନ କରିଆସିଛି। କେନ୍ଦ୍ର ସରକାର ରାଜ୍ୟର କ୍ଷମତାରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ଦଳ ଏହି ଦୁଇଟି ବିଲ୍କୁ ମଧ୍ୟ ତୀବ୍ର ବିରୋଧ କରିଛି।
ତେବେ ବିଜେପି ଓ DMK ମଧ୍ୟରେ ପୂର୍ବରୁ ମଧ୍ୟ ମେଣ୍ଟ ରହିଛି। ୧୯୯୯ ଲୋକସଭା ନିର୍ବାଚନରେ ଦୁଇ ଦଳ ଏକାଠି ଲଢ଼ିଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ DMK ମଧ୍ୟ ସାମିଲ ଥିଲା। କିନ୍ତୁ ୨୦୦୩ରେ ଦୁଇ ଦଳ ଅଲଗା ହୋଇଯାଇଥିଲେ।
ବର୍ତ୍ତମାନ DMK ପାଇଁ ଆଉ ଏକ ବଡ଼ ରାଜନୈତିକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ଅଭିନେତା ବିଜୟଙ୍କ ନେତୃତ୍ୱାଧୀନ TVK। କଂଗ୍ରେସ ହଠାତ୍ DMKଠାରୁ ଦୂରେଇ ବିଜୟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମର୍ଥନ ଦେବା ପରେ ରାଜ୍ୟର ରାଜନୈତିକ ସମୀକରଣ ଆହୁରି ଜଟିଳ ହୋଇଛି।
ଏଭଳି ପରିସ୍ଥିତିରେ ସୀମା ନିର୍ଦ୍ଧାରଣ ବିଲ୍କୁ DMKର ସମ୍ଭାବ୍ୟ ସମର୍ଥନ ତାମିଲନାଡୁରେ ବିଜେପି ପାଇଁ ନୂଆ ରାଜନୈତିକ ସୁଯୋଗ ସୃଷ୍ଟି କରିପାରେ। ତେବେ ଏହା ଆଗାମୀ ଦିନରେ ମେଣ୍ଟର ରୂପ ନେବ କି ନାହିଁ, ତାହା ରାଜନୈତିକ ପରିସ୍ଥିତି ଉପରେ ନିର୍ଭର କରିବ।
Add Odisha.pro as a preferred source in Google News to see our latest stories more often.
Add as a preferred source
ଆଖି ମଣିଷ ଶରୀରର ଅତ୍ୟନ୍ତ ମୂଲ୍ୟବାନ ଅଙ୍ଗ। ଆଖି ମାଧ୍ୟମରେ...
‘ପର୍ମ’ ବୁଡ଼ାଜାହାଜ ନୌସେନାରେ ସାମିଲ ଋଷ...
ଚୀନ୍‌ ସହାୟତାରେ ବଢ଼ୁଛି ପାକିସ୍ତାନର ମହାକାଶ କ୍ଷମତ...
ଗୋପାଳପୁର ବନ୍ଦରରେ INS ଦୁନାଗିରି, ଯୁଦ୍ଧଜାହାଜ ଦେଖିବାକୁ...
ପୁଲିସ କର୍ମଚାରୀଙ୍କ ଘରକୁ ବି ଛାଡ଼ିଲେନି ଚୋର! ଝରକା ଗ୍ରି...
ଇସ୍ରାଏଲ୍‌ରେ କ୍ଷମତା ଲଢ଼େଇ, ପ୍ରଧାନମନ୍ତ୍ରୀ ପଦ ଛା...
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ୨୫ ଦିନିଆ ଆକ୍ସନ ପ୍...
ରାସ୍ତା ଉପରେ ଦାନ୍ତ ଘଷିଲା ଦନ୍ତା, ବେତନଟୀ ଜଙ୍ଗଲରେ ୭୫ ହ...