କଟକ: ସାହି ସାହି ମଧ୍ୟରେ ପୁରୁଣା ବିବାଦକୁ କେନ୍ଦ୍ର କରି କଟକ ପୁରୀଘାଟ ଥାନା ଅଞ୍ଚଳରେ ଘଟିଛି ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ। ଗଣେଶ ଘାଟ ଓ ବୁରୁଜ ସାହିର ଲୋକଙ୍କ ମଧ୍ୟରେ ହୋଇଥିବା ଏହି ହିଂସାକାଣ୍ଡରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ଜଣେ ପୁଲିସ କନେଷ୍ଟବଳଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି। ଘଟଣା ପରେ ପୁରୀଘାଟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଏହି ସଂଘର୍ଷରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଉଛନ୍ତି ଗଣେଶ ଘାଟ ପୂଜା କମିଟିର ସଭାପତି ଅମରେନ୍ଦ୍ର ସାମଲ (୬୨)। ମିଳିଥିବା ସୂଚନା ଅନୁସାରେ, ଗଣେଶ ଘାଟ ନିକଟସ୍ଥ ହୋଟେଲ ବ୍ଲୁ ଲାଗୁନ୍ ସାମ୍ନାରେ ଥିବା ସଞ୍ଜୟ ଚା’ ଦୋକାନ ନିକଟରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଦୁଇ ଜଣଙ୍କ ମଧ୍ୟରେ ପୂର୍ବ ବିବାଦକୁ ନେଇ ବଚସା ହୋଇଥିଲା।
ପରେ ବୁରୁଜ ସାହି ସ୍ଲମ୍ ନମ୍ବର ୪୩ର ବାସିନ୍ଦା ଏବଂ ଗଣେଶ ଘାଟ ସାହିର ଏକାଧିକ ଲୋକ ସେଠାରେ ପହଞ୍ଚିଥିଲେ। ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ପରସ୍ପର ଉପରକୁ କାଚ ବୋତଲ, ଢେଲା ଓ ଇଟା ମାଡ଼ ହୋଇଥିଲା। ଏହା ଧୀରେ ଧୀରେ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା।
ଅଭିଯୋଗ ଅନୁସାରେ, ଅମରେନ୍ଦ୍ର ସାମଲଙ୍କୁ ନିକଟସ୍ଥ ମାହେଶ୍ୱରୀ ମନ୍ଦିର ପିଣ୍ଡାକୁ ନେଇ କାଚ ବୋତଲ ଓ ଠେଙ୍ଗାରେ ଆକ୍ରମଣ କରାଯାଇଥିଲା। ଗୁରୁତର ଆହତ ହୋଇଥିବା ଅମରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ମନ୍ଦିର ପିଣ୍ଡା ଓ କାନ୍ଥରେ ରକ୍ତ ଛିଟା ପଡ଼ିଥିବା ଦେଖାଯାଇଥିଲା।
ସଂଘର୍ଷ ସମୟରେ ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ ଥିବା ତିନୋଟି ବାଇକ୍ ଭାଙ୍ଗିଦେଇଥିବା ବେଳେ ଏକ ଯାତ୍ରୀବାହୀ ଅଟୋକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଯେଉଁ ଚା’ ଦୋକାନରୁ ବିବାଦର ଆରମ୍ଭ ହୋଇଥିଲା, ସେହି ଦୋକାନକୁ ମଧ୍ୟ ଭାଙ୍ଗି ଦିଆଯାଇଥିଲା। ଦୋକାନରେ ଥିବା ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଥିଲା।
ସଂଘର୍ଷରେ ଜଣେ ପୁଲିସ କନେଷ୍ଟବଳଙ୍କ ମୁଣ୍ଡ ଫାଟିଯାଇଥିବା ସୂଚନା ମିଳିଛି। ଆହତ ପୁଲିସ କର୍ମଚାରୀଙ୍କ ସମେତ ଅନ୍ୟ ଆହତମାନେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
ଘଟଣା ପରେ ପୁରୀଘାଟ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୨ ଜଣଙ୍କୁ ଅଟକ ରଖିଛି। ହତ୍ୟା ମାମଲା ରୁଜୁ ହେବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ୮ଟି ପୁଲିସ ଟିମ୍ ଗଠନ କରାଯାଇଛି।
ଅଭିଯୁକ୍ତଙ୍କ ବିରୋଧରେ ଭିଡ଼ ହିଂସା ସମ୍ପର୍କିତ ଦଫା ଲଗାଯାଇଥିବା ଏବଂ ଖୁବ୍ଶୀଘ୍ର କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଡିସିପି ସୂଚନା ଦେଇଛନ୍ତି।
ଘଟଣାସ୍ଥଳରେ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ, ଏସିପି ଅନନ୍ୟା ଅବସ୍ତି, ଏସିପି ଅଶୋକ କୁମାର ଗିରି, ଏସିପି ଅରୁଣ ସ୍ୱାଇଁଙ୍କ ସମେତ ପୁରୀଘାଟ ଓ ଲାଲବାଗ ଥାନାର ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଅଞ୍ଚଳରେ ନଜର ରଖାଯାଇଛି।
ସ୍ଥାନୀୟ ସୂଚନା ଅନୁସାରେ, ଗଣେଶ ଘାଟ ଓ ବୁରୁଜ ସାହି ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ଏ ସମ୍ପର୍କରେ ପୂର୍ବରୁ ପୁରୀଘାଟ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଗତ ଗଣେଶ ଭସାଣି ଦିନ ଫିରିଙ୍ଗିବଜାର ନିକଟରେ ମଧ୍ୟ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିବା କୁହାଯାଉଛି।
ଗୁରୁବାର ମଧ୍ୟ ପୁରୀଘାଟ ଅଞ୍ଚଳରେ ବିବାଦ ହୋଇଥିବା ବେଳେ ଶୁକ୍ରବାର ଏହା ଉଗ୍ର ରୂପ ନେଇଥିଲା।
ଅନ୍ୟପଟେ, ବାଲିଯାତ୍ରା ପାଇଁ ସହରରେ ୭୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ଥିବା ସତ୍ତ୍ୱେ ଦୁଇ ଥାନା ସୀମା ନିକଟରେ ଏତେ ବଡ଼ ହିଂସାକାଣ୍ଡ ଘଟିବା ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଏବେ ପୁରୀଘାଟ ଅଞ୍ଚଳରେ ଉତ୍ତେଜନା ଜାରି ରହିଥିବାରୁ ପୁଲିସ ପରିସ୍ଥିତି ଉପରେ କଡ଼ା ନଜର ରଖିଛି।
Add Odisha.pro as a preferred source in Google News to see our latest stories more often.
Add as a preferred source
ଲଗାତାର ଦୁଇଟି ଟେଷ୍ଟରୁ ବାଦ୍‌ ପଡ଼ିଲେ ସିରାଜ ଭା...
ମୁମ୍ବାଇ:IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ହୋଇଛି...
ଭାରତୀୟ ପୁଞ୍ଜି ବଜାରରେ ନିବେଶକଙ୍କ ସ୍ୱାର୍ଥ ସୁରକ୍ଷା ପାଇ...
ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ଯଶପ୍ରୀତ ବୁମ୍...
ବୈଭବଙ୍କ ବ୍ୟାଟିଂରେ ମୁଗ୍ଧ ସୁନୀଲ ଗାଭାସ୍କର ଭାରତୀୟ କ...
ମୁମ୍ବାଇ: ଭାରତୀୟ ସେୟାର ବଜାରରେ ନିବେଶକଙ୍କୁ ଲାଗିଛି ବଡ଼...
ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା କ୍ୱିକ୍‌ କମର୍ସ ବଜାର...
ନୂଆଦିଲ୍ଲୀ: ଡଲାର ତୁଳନାରେ ଦୀର୍ଘଦିନ ଧରି ଦୁର୍ବଳ ହେଉଥିବ...