ମହିଳା ପୁଲିସ କର୍ମଚାରୀଙ୍କ କାର୍ଯ୍ୟକ୍ଷେତ୍ରକୁ ଅଧିକ ସୁରକ୍ଷିତ, ସୁବିଧାଜନକ ଓ ସମ୍ବେଦନଶୀଳ କରିବା ପାଇଁ ଓଡ଼ିଶା ପୁଲିସ ଜାରି କରିଛି ନୂଆ ଗାଇଡ୍ଲାଇନ୍। ଏହି ନିର୍ଦ୍ଦେଶନାମାରେ ଗର୍ଭବତୀ ମହିଳା ପୁଲିସ, ସ୍ତନ୍ୟପାନ କରାଉଥିବା ମା’ ଏବଂ ଛୋଟ ପିଲା ଥିବା ମହିଳା କର୍ମଚାରୀଙ୍କ ଡ୍ୟୁଟି ବ୍ୟବସ୍ଥାରେ ଆବଶ୍ୟକ ଆଶ୍ୱସ୍ତି ଦେବାକୁ କୁହାଯାଇଛି।
ପୁଲିସର କ୍ରାଇମ୍ ଏଗେନ୍ଷ୍ଟ ଓମେନ୍ ଆଣ୍ଡ୍ ଚିଲ୍ଡ୍ରେନ୍ ୱିଙ୍ଗ୍ ପକ୍ଷରୁ ନଭେମ୍ବର ୨୫ ତାରିଖରେ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ମହିଳା ପୁଲିସଙ୍କ ଶାରୀରିକ ସୁସ୍ଥତା, ମାନସିକ ସ୍ୱାସ୍ଥ୍ୟ, ମାତୃତ୍ୱ ଓ ପାରିବାରିକ ଦାୟିତ୍ୱକୁ ଧ୍ୟାନରେ ରଖି ଏକାଧିକ ପଦକ୍ଷେପ ନିଆଯାଇଛି।
ନୂଆ ନିୟମ ଅନୁଯାୟୀ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ପୁଲିସ କର୍ମଚାରୀଙ୍କୁ ଅତ୍ୟଧିକ ଶାରୀରିକ ପରିଶ୍ରମ ଥିବା କାର୍ଯ୍ୟ, ଦୀର୍ଘ ସମୟ ଠିଆ ହୋଇ ରହିବା, ଆଇନଶୃଙ୍ଖଳା ଡ୍ୟୁଟି, ରାତି ଡ୍ୟୁଟି, ଷ୍ଟାଟିକ୍ ଗାର୍ଡ ଡ୍ୟୁଟି ଓ ଦୀର୍ଘ ଯାତ୍ରା ସମ୍ପର୍କିତ କାର୍ଯ୍ୟରୁ ଯଥାସମ୍ଭବ ଛାଡ଼ ଦେବାକୁ କୁହାଯାଇଛି।
ସେମାନଙ୍କ ପାଇଁ ଡ୍ୟୁଟି ସମୟରେ ସ୍ତନ୍ୟପାନ ବିରତି ଓ ଆବଶ୍ୟକ ସମୟରେ କାର୍ଯ୍ୟ ସମୟରେ ନମନୀୟତା ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ମାତୃତ୍ୱ ପରେ ଶାରୀରିକ ସୁସ୍ଥତା ଓ ଶିଶୁର ଯତ୍ନ ପାଇଁ ଅତିରିକ୍ତ ଛୁଟି ଆବେଦନ ଆସିଲେ ତାହାକୁ ସହାନୁଭୂତିର ସହ ବିଚାର କରିବାକୁ ଏସ୍ପି ଓ ଡିସିପିମାନଙ୍କୁ କୁହାଯାଇଛି।
ଯେଉଁ ମହିଳା ପୁଲିସ କର୍ମଚାରୀଙ୍କର ୩ ବର୍ଷରୁ କମ୍ ବୟସର ପିଲା ଅଛନ୍ତି, ସେମାନଙ୍କୁ ମଧ୍ୟ ଯଥାସମ୍ଭବ ରାତି ଡ୍ୟୁଟି, ଷ୍ଟାଟିକ୍ ଗାର୍ଡ ଡ୍ୟୁଟି ଏବଂ ଦୀର୍ଘ ସମୟ ପାଇଁ ମୁଖ୍ୟାଳୟରୁ ଦୂରରେ ରହିବାକୁ ପଡ଼ୁଥିବା ଡ୍ୟୁଟିରୁ ଛାଡ଼ ଦେବାକୁ ନିର୍ଦ୍ଦେଶ ରହିଛି।
ଏହାଦ୍ୱାରା ଛୋଟ ପିଲାଙ୍କ ଯତ୍ନ ଓ ପାରିବାରିକ ଦାୟିତ୍ୱ ତୁଲାଇବା ସହିତ ମହିଳା କର୍ମଚାରୀମାନେ ନିଜ ଚାକିରି ଦାୟିତ୍ୱ ମଧ୍ୟ ସୁବିଧାରେ ପରିଚାଳନା କରିପାରିବେ ବୋଲି ଆଶା କରାଯାଉଛି।
ମହିଳା ପୁଲିସଙ୍କ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ହେଉଛି ଅତିରିକ୍ତ କାଜୁଆଲ୍ ଛୁଟି। ଋତୁସ୍ରାବ ସମୟରେ ଶାରୀରିକ ଅସୁବିଧାକୁ ଧ୍ୟାନରେ ରଖି ମହିଳା କର୍ମଚାରୀଙ୍କୁ ବର୍ଷକୁ ୧୨ ଦିନ ଅତିରିକ୍ତ କାଜୁଆଲ୍ ଲିଭ୍ ଦେବା ପାଇଁ ଅର୍ଥ ବିଭାଗ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲା। ଏହି ଛୁଟି ପ୍ରତି ମାସରେ ଗୋଟିଏ ଦିନ ହିସାବରେ ରହିଛି।
କିଛି ଜିଲ୍ଲାରେ ଏହି ଛୁଟି ଦିଆଯାଉନଥିବା ଅଭିଯୋଗ ଆସିଥିବାରୁ ଏହାକୁ ଠିକ୍ ଭାବେ ଲାଗୁ କରିବାକୁ ନୂଆ ଗାଇଡ୍ଲାଇନ୍ରେ ଏସ୍ପିମାନଙ୍କୁ କୁହାଯାଇଛି। ଋତୁସ୍ରାବ ସମୟରେ ଅଧିକ ଶାରୀରିକ ଅସୁବିଧା ହେଉଥିଲେ ଫିଲ୍ଡ ଡ୍ୟୁଟି ବଦଳରେ କଣ୍ଟ୍ରୋଲ୍ ରୁମ୍ ଭଳି କମ୍ ଶାରୀରିକ ପରିଶ୍ରମ ଥିବା କାର୍ଯ୍ୟ ଦେବାକୁ ମଧ୍ୟ କୁହାଯାଇଛି।
ମହିଳା ପୁଲିସ କର୍ମଚାରୀଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନ ପାଇଁ ପ୍ରତି ଜିଲ୍ଲାରେ ଜଣେ ମହିଳା ୱେଲ୍-ବିଇଂ ଅଫିସର ନିଯୁକ୍ତ କରିବାକୁ ନିର୍ଦ୍ଦେଶ ରହିଛି। ଏହି ଅଧିକାରୀ ଡିଏସ୍ପି କିମ୍ବା ଅତିରିକ୍ତ ଏସ୍ପି ପାହ୍ୟାର ମହିଳା ଅଧିକାରୀ ହେବେ।
ସେ ସମସ୍ତ ପାହ୍ୟାର ମହିଳା ପୁଲିସ କର୍ମଚାରୀଙ୍କ ପାଇଁ ଯୋଗାଯୋଗର ମୁଖ୍ୟ ମାଧ୍ୟମ ଭାବେ କାମ କରିବେ। ଡ୍ୟୁଟି ବଣ୍ଟନ, କାର୍ଯ୍ୟକ୍ଷେତ୍ରରେ ଅସୁବିଧା, ବ୍ୟକ୍ତିଗତ ସମସ୍ୟା ଓ ଅନ୍ୟାନ୍ୟ ଅଭିଯୋଗ ଉପରେ ମାର୍ଗଦର୍ଶନ ଦେବା ସହ ଉଚିତ୍ ପଦକ୍ଷେପ ପାଇଁ ସହଯୋଗ କରିବେ।
ରିଜର୍ଭ ଅଫିସ୍ରେ ମହିଳା କନଷ୍ଟେବଲ୍ ଓ ହାବିଲଦାରମାନଙ୍କ ଡ୍ୟୁଟି ବଣ୍ଟନ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଫୋର୍ସ ସେକ୍ସନ୍ରେ ଜଣେ ମହିଳା ସବ୍-ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର କିମ୍ବା ହାବିଲଦାରଙ୍କୁ ନିୟୋଜିତ କରିବାକୁ କୁହାଯାଇଛି।
ଏହାଦ୍ୱାରା ମହିଳା କର୍ମଚାରୀମାନେ ନିଜର ବ୍ୟକ୍ତିଗତ ସମସ୍ୟା ଓ ଡ୍ୟୁଟି ସମ୍ପର୍କିତ ଅଭିଯୋଗ ଜଣାଇବାରେ ସହଜ ଅନୁଭବ କରିବେ। ଥାନା କିମ୍ବା ଅନ୍ୟ ସ୍ତରରେ ଅଭିଯୋଗର ସମାଧାନ ନହେଲେ ଉଚ୍ଚ ଅଧିକାରୀଙ୍କ ନିକଟରେ ଏହାକୁ ଉଠାଇବାର ବ୍ୟବସ୍ଥା ମଧ୍ୟ ରହିଛି।
ମହିଳା ପୁଲିସ କର୍ମଚାରୀଙ୍କ ପାଇଁ ପ୍ରତ୍ୟେକ ଥାନା ଓ ଡ୍ୟୁଟି ସ୍ଥାନରେ ସ୍ୱଚ୍ଛ ଓ ପୃଥକ ଶୌଚାଳୟ, ବିଶ୍ରାମ କକ୍ଷ ଏବଂ ପୋଷାକ ବଦଳାଇବା କକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପୂର୍ବରୁ ମହିଳାଙ୍କ ପାଇଁ ନିର୍ମିତ ବିଶ୍ରାମ କକ୍ଷ ଅନ୍ୟ କାର୍ଯ୍ୟରେ ବ୍ୟବହାର ହେଉଥିଲେ, ସେଗୁଡ଼ିକୁ ପୁଣି ମହିଳା କର୍ମଚାରୀଙ୍କ ବ୍ୟବହାର ପାଇଁ ଉପଲବ୍ଧ କରାଇବାକୁ କୁହାଯାଇଛି।
ମହିଳା ପୁଲିସ କର୍ମଚାରୀଙ୍କ ସମସ୍ୟା ଶୁଣିବା ପାଇଁ ଜିଲ୍ଲା ଏସ୍ପିମାନେ ପ୍ରତି ମାସର ଆଲୋଚନା ସଭାରେ ଅତି କମ୍ରେ ୧୫ ମିନିଟ୍ ସମୟ ସେମାନଙ୍କ ପାଇଁ ରଖିବେ। ଏହି ସମୟରେ ବିଭିନ୍ନ ଥାନା ଓ ଫାଣ୍ଡିରୁ ମହିଳା କର୍ମଚାରୀଙ୍କ ପ୍ରତିନିଧିତ୍ୱ ରହିବ।
ଏହା ସହ କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ଆଇନ ଅନୁଯାୟୀ ତୁରନ୍ତ ଓ ପ୍ରଭାବଶାଳୀ ଭାବେ ସମାଧାନ କରିବାକୁ ଆଭ୍ୟନ୍ତରୀଣ କମିଟିଗୁଡ଼ିକୁ ନିର୍ଦ୍ଦେଶ ରହିଛି।
ନୂଆ ଗାଇଡ୍ଲାଇନ୍ରେ କେବଳ ଛୁଟି ଓ ଡ୍ୟୁଟି ବ୍ୟବସ୍ଥା ନୁହେଁ, ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମହିଳା କର୍ମଚାରୀଙ୍କ ମାନସିକ ଚାପ କିମ୍ବା ଅସୁବିଧାର ପ୍ରାରମ୍ଭିକ ସଙ୍କେତ ଚିହ୍ନଟ କରିବା ଏବଂ ସହାନୁଭୂତିର ସହ ପଦକ୍ଷେପ ନେବା ପାଇଁ ଉଚ୍ଚ ଅଧିକାରୀଙ୍କୁ ସଚେତନ କରାଯିବ।
ମହିଳା ପୁଲିସଙ୍କ ସ୍ୱାସ୍ଥ୍ୟ, ସମ୍ମାନ ଓ ସୁରକ୍ଷାକୁ ଧ୍ୟାନରେ ରଖି ଏହି ନିୟମଗୁଡ଼ିକୁ କଡ଼ାକଡ଼ି ଲାଗୁ କରିବା ଏବେ ପୁଲିସ ବିଭାଗର ଦାୟିତ୍ୱ। ଏହା ଦ୍ୱାରା ମହିଳା କର୍ମଚାରୀଙ୍କ ପାଇଁ ଏକ ଅଧିକ ସହାୟକ ଓ ସମ୍ମାନଜନକ କାର୍ଯ୍ୟ ପରିବେଶ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।
ନୂଆଦିଲ୍ଲୀ: ଚର୍ଚ୍ଚାରେ ବଲିଉଡ୍‌ର ବହୁ ପ୍ରତୀକ୍ଷିତ...
ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ ଦାବି ଅଭିଯୋଗ ସରକାରୀ...
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ଞାନ ଓ ସାଧାରଣ ଜ୍...
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ...
ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବର...
ଚେନ୍ନାଇ: ନବଜାତ ଶିଶୁର ଯତ୍ନ ନେବା ସହ ପତ୍ନୀଙ୍କୁ ପ୍ରସବ...
ଜଙ୍ଗଲରୁ ନରକଙ୍କାଳ ମିଳିବା ଘଟଣାରେ ବଡ଼ ଖୁଲାସା ପୁରୀ...
ଡୁବୁରୀରେ ପୁଲିସର ଅତର୍କିତ ଚଢ଼ାଉ ଯାଜପୁର ଜିଲ୍ଲାରେ ବ...