ପରମାଣୁ ଅସ୍ତ୍ର କ୍ଷମତା ବଢ଼ାଇବ ଉତ୍ତର କୋରିଆ। ଦେଶର ପରମାଣୁ କାର୍ଯ୍ୟକ୍ରମକୁ ଆହୁରି ମଜବୁତ କରିବାକୁ ଘୋଷଣା କରିଛନ୍ତି ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନ୍। ନିକଟରେ ଦୁଇଟି ପରମାଣୁ ସାମଗ୍ରୀ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିବା ପରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କର ଏହି ଘୋଷଣା ଆମେରିକା ସହ କୂଟନୈତିକ ଆଲୋଚନାର ନୂଆ ସମ୍ଭାବନା ମଧ୍ୟରେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ସୃଷ୍ଟି କରିଛି।
ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି (KCNA) ଅନୁଯାୟୀ, ବୁଧବାର କିମ୍ ଜୋଙ୍ଗ ଉନ୍ ବରିଷ୍ଠ ସାମରିକ ଅଧିକାରୀଙ୍କ ସହ ଦୁଇଟି ପରମାଣୁ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଥିଲେ। ଏଥିମଧ୍ୟରୁ ଗୋଟିଏ ନୂଆ କେନ୍ଦ୍ର ଥିବାବେଳେ ଅନ୍ୟଟିର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ସେଠାରେ ୟୁରାନିୟମ୍ ସମୃଦ୍ଧକରଣ ସହ ଜଡ଼ିତ ଯନ୍ତ୍ରପାତି ଥିବା ଫଟୋ ମଧ୍ୟ ପ୍ରକାଶ କରାଯାଇଛି।
କିମ୍ କହିଛନ୍ତି ଯେ, କୋରିଆ ଉପଦ୍ୱୀପ ଆଖପାଖରେ ବଢ଼ୁଥିବା ପରମାଣୁ ବିପଦକୁ ଦୃଷ୍ଟିରେ ରଖି ଦେଶର ପ୍ରତିରକ୍ଷା କ୍ଷମତାକୁ ମଜବୁତ କରିବା ଜରୁରୀ। ପରମାଣୁ ଅସ୍ତ୍ର ରଖିବା ଏବଂ ଏହାର ଗୁଣବତ୍ତା ଓ ପରିମାଣ ବଢ଼ାଇବା ଏକ ଅପରିବର୍ତ୍ତନୀୟ ବାସ୍ତବତା ବୋଲି ସେ ମତ ଦେଇଛନ୍ତି। ଏଥିସହ କମ୍ କ୍ଷମତା ବିଶିଷ୍ଟ ଯୁଦ୍ଧକ୍ଷେତ୍ରରେ ବ୍ୟବହାରଯୋଗ୍ୟ ପରମାଣୁ ଅସ୍ତ୍ରର ବିକାଶ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।
ଅନ୍ୟପଟେ ଆମେରିକା ଉପରେ ଅଭିଯୋଗ ଆଣି କିମ୍ କହିଛନ୍ତି ଯେ, ଆମେରିକା ନିଜର ଆଞ୍ଚଳିକ ସହଯୋଗୀ ଦେଶଗୁଡ଼ିକୁ ପରମାଣୁ କ୍ଷମତାସମ୍ପନ୍ନ ବୁଡ଼ାଜାହାଜ ହାସଲ କରିବା ଏବଂ ପରମାଣୁ ଅସ୍ତ୍ର ସମ୍ପର୍କିତ ସହଯୋଗ ଦେବାକୁ ଉତ୍ସାହିତ କରୁଛି। ଦକ୍ଷିଣ କୋରିଆକୁ ମଧ୍ୟ ସେ ନିଜ ଦେଶର ସୁରକ୍ଷା ପାଇଁ ଏକ ପ୍ରମୁଖ ବିପଦ ବୋଲି ଦର୍ଶାଇଛନ୍ତି।
୨୦୧୯ରେ ଡୋନାଲ୍ଡ ଟ୍ରମ୍ପ ଓ କିମ୍ ଜୋଙ୍ଗ ଉନ୍ଙ୍କ ମଧ୍ୟରେ ପରମାଣୁ ନିରସ୍ତ୍ରୀକରଣ ଓ କଟକଣା ହଟାଇବା ନେଇ ଆଲୋଚନା ବିଫଳ ହେବା ପରଠାରୁ ଉତ୍ତର କୋରିଆ ନିଜର ପରମାଣୁ କାର୍ଯ୍ୟକ୍ରମକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇଛି। ଏବେ କିମ୍ଙ୍କ ଏହି ପଦକ୍ଷେପ ସେହି ନୀତିର ଏକ ଅଂଶ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।
ଟ୍ରମ୍ପ ନିକଟରେ ଏସିଆ ଗସ୍ତ ସମୟରେ କିମ୍ଙ୍କ ସହ ପୁଣିଥରେ ସାକ୍ଷାତ ଓ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ଉତ୍ତର କୋରିଆ ପକ୍ଷରୁ ଏହା ଉପରେ କୌଣସି ସାର୍ବଜନୀନ ପ୍ରତିକ୍ରିୟା ଆସିନଥିଲା ଏବଂ ସାକ୍ଷାତ ମଧ୍ୟ ହୋଇପାରିନଥିଲା। ତେବେ ଟ୍ରମ୍ପ କହିଛନ୍ତି ଯେ ଭବିଷ୍ୟତରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ସୁଯୋଗ ରହିଛି।
ବିଶେଷଜ୍ଞଙ୍କ ମତରେ, କିମ୍ ଜୋଙ୍ଗ ଉନ୍ ଚାହୁଁଛନ୍ତି ଯେ ବିଶ୍ୱ ସମୁଦାୟ ଉତ୍ତର କୋରିଆକୁ ଏକ ପରମାଣୁ ଅସ୍ତ୍ରଧାରୀ ଦେଶ ଭାବେ ସ୍ୱୀକୃତି ଦେଉ। ଏହାଦ୍ୱାରା ଭବିଷ୍ୟତରେ ଆମେରିକା ସହ ଆଲୋଚନା ସମୟରେ ତାଙ୍କର ସ୍ଥିତି ମଜବୁତ ହୋଇପାରିବ ଏବଂ ଅନ୍ତର୍ଜାତୀୟ କଟକଣା ହଟାଇବା ପାଇଁ ଚାପ ସୃଷ୍ଟି କରିପାରିବେ।
ଏହା ସହିତ ଉତ୍ତର କୋରିଆ ନିଜର ପୁରୁଣା ସହଯୋଗୀ ରୁଷିଆ ଓ ଚୀନ୍ ସହ ସମ୍ପର୍କକୁ ଆହୁରି ମଜବୁତ କରୁଛି। ଏଭଳି ସ୍ଥିତିରେ ପରମାଣୁ ଅସ୍ତ୍ର ବିସ୍ତାର କରିବାକୁ କିମ୍ଙ୍କ ଘୋଷଣା ଆଗାମୀ ଦିନରେ କୋରିଆ ଉପଦ୍ୱୀପ ଏବଂ ବିଶ୍ୱ ସୁରକ୍ଷା ପରିସ୍ଥିତିକୁ ଆହୁରି ଜଟିଳ କରିପାରେ।
ଆଜି ରାଜଧାନୀରେ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ&rsqu...
ଜାଙ୍ଗେଡ଼ ଗାଁରେ ବନ୍ୟଜନ୍ତୁ ଆତଙ୍କ ବରଗଡ଼ ଜିଲ୍ଲା ଅତା...
ନାଲ୍‌କୋ ଛକରେ ପୁଣି ଦୁର୍ଘଟଣା ରାଜଧାନୀ ଭୁବନେଶ୍...
ମହାନଦୀ ସ୍ୱାର୍ଥ ପାଇଁ ୬ ଦଫା ଯାଚିକା ଦାଖଲ ଉଦ୍ୟମ ମହା...
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ...